ନୂଆଦିଲ୍ଲୀ, ୧୪।୧(ପି.ଟି.): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ରୋଜର ବିନ୍ନିଙ୍କ ବିରୋଧରେ ଅଣାଯାଇଥିବା ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଅଭିଯୋଗକୁ ବିସିସିଆଇ ଏଥିକ୍ସ ଅଫିସର ଭିନିତ୍ ସରଣ (ଅବସରପ୍ରାପ୍ତ) ଖାରଜ କରିଦେଇଛନ୍ତି। ସଞ୍ଜୀବ ଗୁପ୍ତାଙ୍କ ଅଭିଯୋଗ ଯୁକ୍ତିଯୁକ୍ତ ନୁହେଁ। ଗୁପ୍ତା ଅଭିଯୋଗ କରିଥିଲେ ୧୯୮୩ ବିଶ୍ୱକପ୍ ହିରୋ ରୋଜରଙ୍କ ବଧୂ ମୟନ୍ତୀ ଲାଙ୍ଗର ବିନ୍ନ ଷ୍ଟାର ସ୍ପୋଟର୍ସ ପାଇଁ ଉପସ୍ଥାପିକା ଭାବେ କାର୍ଯ୍ୟ କରୁଛନ୍ତି। ଷ୍ଟାର ସ୍ପୋଟର୍ସ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଭାରତୀୟ ଜାତୀୟ ଦଳ ଘରୋଇ ମ୍ୟାଚ ସହିତ ସମସ୍ତ ଆଇସିସି ଇଭେଣ୍ଟର ଅଫିସିଆଲ ବ୍ରଡ୍କାଷ୍ଟର। ଏଥିଯୋଗୁ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ପରିସ୍ଥିତି ସୃଷ୍ଟି ହୋଇଥିବା ଗୁପ୍ତା ତାଙ୍କ ଅଭିଯୋଗ ପତ୍ରରେ ଦର୍ଶାଇଥିଲେ। ଗୁପ୍ତା ହେଉଛନ୍ତି ମଧ୍ୟପ୍ରଦେଶ କ୍ରିକେଟ ଆସୋସିଏଶନ (ଏମ୍ପିସିଏ) ଆପେକ୍ସ କାଉନ୍ସିଲର ପୂର୍ବତନ ସଭ୍ୟ। ପୂର୍ବରୁ ସେ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର, ରାହୁଲ ଡ୍ରାଭିଡ୍, ସୌରଭ ଗାଙ୍ଗୁଲି, ଭିଭିଏସ୍ ଲକ୍ଷ୍ମଣ ଓ ବିରାଟ କୋହଲିଙ୍କ ସମେତ ଅନ୍ୟ କେତେଜଣଙ୍କ ବିରୋଧରେ ଏହିଭଳି ଅଭିଯୋଗମାନ ଆଣିଥିଲେ।