ଚାରିଧାମ ଯାତ୍ରା: ରାଜ୍ୟ ସରକାରଙ୍କ ୟୁ-ଟର୍ନ

ଡେରାଡୁନ,୨୯।୬: ଉତ୍ତରାଖଣ୍ଡରେ ଚାରିଧାମ ଯାତ୍ରାକୁ ନେଇ ରାଜ୍ୟ ସରକାର ଏବେ ୟୁ-ଟର୍ନ ନେଇଛନ୍ତି। ଆଗାମୀ ଆଦେଶ ଆସିବା ପର୍ଯ୍ୟନ୍ତ ଚାରିଧାମ ଯାତ୍ରାକୁ ଉତ୍ତରାଖଣ୍ଡ ସରକାର ସ୍ଥଗିତ ରଖିଛନ୍ତି। ସୋମବାର ଉତ୍ତରାଖଣ୍ଡ ହାଇକୋର୍ଟ ଯାତ୍ରା ଉପରେ ରୋକୋ ଲଗାଇବାକୁ ନିର୍ଦ୍ଦେଶ ଦେବା ପରେ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାଓ୍ବତ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ସୂଚନା ମୁତାବକ ସୋମବାର ଚାରିଧାମ ଯାତ୍ରା ଉପରେ ଶୁଣାଣି କରି ହାଇକୋର୍ଟ ଆସନ୍ତା ଜୁଲାଇ ୭ପର୍ଯ୍ୟନ୍ତ ରୋକୋ ଲଗାଇଥିଲେ। ଯାତ୍ରା ସମୟରେ ସମସ୍ତ କୋଭିଡ ନିୟମକୁ ରାଜ୍ୟ ସରକାର ପାଳନ କରିନାହାନ୍ତି। ତେଣୁ ଏହି ଯାତ୍ରା ସମ୍ଭବ ନୁହେଁ ବୋଲି ହାଇକୋର୍ଟ କହିଥିଲେ। ସୂଚନାଯୋଗ୍ୟ, ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାଓ୍ବତ ଯାତ୍ରା ପାଇଁ ଏକ କୋଭିଡ ଗାଇଡ୍‌ଲାଇନ୍ସ ଜାରି କରିବା ସହ ଜୁଲାଇ ୧ରୁ ପ୍ରଥମ ପର୍ଯ୍ୟାୟରେ ଯାତ୍ରା ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ। ସେହିପରି ଜୁଲାଇ ୧୧ରୁ ଦ୍ୱିତୀୟ ପର୍ଯ୍ୟାୟ ଯାତ୍ରା ଆରମ୍ଭ ହୋଇଥାନ୍ତା। ଏଥିସହ ଶ୍ରଦ୍ଧାଳୁଙ୍କ ଆରଟିପିସିଆର ନେଗେଟିଭ୍‌ ରିପୋର୍ଟ ମଧ୍ୟ ବାଧ୍ୟତାମୂଳକ କରାଯାଇଥିଲା। ରାଜ୍ୟସରକାର ସୀମିତ ଲୋକଙ୍କୁ ନେଇ ଏହି ଯାତ୍ରା ଆରମ୍ଭ କରିବାକୁ ଚାହୁଁଥିବା ବେଳେ ଏବେ ଏହାକୁ ସ୍ଥଗିତ ରଖିଛନ୍ତି।

Share