ରଥ ନିର୍ମାଣ ସାମଗ୍ରୀର ଅନୁଧ୍ୟାନ କରାଯିବ

ତାଳଚେର,୨୮।୫(ନି.ପ୍ର.) ତାଳଚେରର ପ୍ରସିଦ୍ଧ ରଥଯାତ୍ରା ପାଳନ କରିବା ପାଇଁ ଗୁରୁବାର ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା କମିଟି ସଭାପତି ତଥା ଉପଜିଲାପାଳ ବିଶ୍ୱରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଢେଙ୍କାନାଳ ଏମ୍‌ପି ମହେଶ ସାହୁ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ତାଳଚେର ରାଜା ରାଜେନ୍ଦ୍ର ଚନ୍ଦ୍ର ଦେବ ବୀରବର ହରିଚନ୍ଦନ, ନଗରପାଳ ପବିତ୍ର ଭୂତିଆ, ବ୍ଲକ ଅଧ୍ୟକ୍ଷା ହେମଲତା ମହାନ୍ତି ଅତିଥିଭାବେ ଯୋଗଦେଇ ଚଳିତବର୍ଷ ରଥଯାତ୍ରା ସମ୍ପର୍କରେ ଆଲୋଚନା କରିଥିଲେ। କୋଭିଡ୍‌ ଯୋଗୁ ଗତ ଦୁଇ ବର୍ଷ ହେଲା ରଥଯାତ୍ରା ବନ୍ଦ ଥିବାରୁ ରଥ ନିର୍ମାଣ ପାଇଁ ରହିଥିବା କାଠ ଉପକରଣ ଗୁଡ଼ିକର ଅବସ୍ଥା ଅନୁଧ୍ୟାନ କରିବା ପାଇଁ ମୁଖ୍ୟ ମହାରଣା ଏବଂ ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିଲା। ସେହିପରି ରଥର ନୂତନ କପଡା ଠାରୁ ଆରମ୍ଭ କରି ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ନିମନ୍ତେ ପୌରପରିଷଦକୁ କୁହାଯାଇଥିଲା। ଆବଶ୍ୟକ ଅର୍ଥ ସଂଗ୍ରହ କରିବା ପାଇଁ ତିନୋଟି କମିଟି ଗଠନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ସେହିପରି ରଥଯାତ୍ରା ବେଳେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଶାନ୍ତିଶୃଙ୍ଖଳା ପାଇଁ ସ୍ଥାନୀୟ ପୋଲିସ ବାହିନୀ ଓ ଅନ୍ୟ ସୁରକ୍ଷା ସଂସ୍ଥାକୁ ନିୟୋଜିତ କରାଯିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ରଥଯାତ୍ରା ପୂର୍ବରୁ ରାସ୍ତା, ଡ୍ରେନ ନିର୍ମାଣ ଓ ପରିମଳ ବ୍ୟବସ୍ଥା ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଥିଲା। ଆର୍ଥିକ ସହାୟତା ଯୋଗାଇଦେବାକୁ ସରକାରଙ୍କୁ ଅନୁରୋଧ କରିବା ନିମନ୍ତେ ଚିଠି ଲେଖିବା ପାଇଁ ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କୁ ଏମ୍‌ପି ନିର୍ଦ୍ଦେଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିର୍ବାହୀ ଅଧିକାରୀ ରଶ୍ମିରେଖା ଅମାନ୍ତ, ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନ, ପୌର ପରିଷଦ କାଉନସିଲର ବୃନ୍ଦ, ଓକିଲ ସଂଘ ପକ୍ଷରୁ ସାଧାରଣ ସମ୍ପାଦକ ଦୀନବନ୍ଧୁ ସାହୁ, ବରିଷ୍ଠ ଓକିଲ ପେସ୍କାର ଗଡ଼ନାୟକ, ଦୟାସାଗର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Share