Advertisement

ବୌଦ୍ଧରୁ ପୁରୀ ଗଲା ରଥକାଠ

ବୌଦ୍ଧ, ୭।୪(ସ୍ବ.ପ୍ର.)-ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ଚଳିତବର୍ଷ ଶୁକ୍ରବାର ପ୍ରଥମ ରଥ କାଠ ବୌଦ୍ଧ ବନଖଣ୍ଡରୁ ପୁରୀକୁ ପଠାଯାଇଛି। ଏ ନେଇ ବନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ପୂଜାର୍ଚ୍ଚନା କରାଯାଇଥିଲା। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଜିଲାପାଳ ସତ୍ୟରଞ୍ଜନ ସାହୁ, ଏନ୍‌ଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଓ ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ ସବୁଜ ପତାକା ଦେଖାଇ ରଥକାଠକୁ ବିଦାୟ ଦେଇଥିଲେ। ସଂକୀର୍ତ୍ତନ ମଣ୍ଡଳୀ ସହ ରଥକାଠ ବୋଝେଇ ଗାଡ଼ିକୁ ବୌଦ୍ଧ ବନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରୁ ଏକ ଶୋଭାଯାତ୍ରାରେ ବୁଟୁପାଲି ପର୍ଯ୍ୟନ୍ତ ନିଆଯାଇଥିଲା। ରାସ୍ତାରେ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ଘର ସମ୍ମୁଖରେ କଳସ ବସାଯାଇ ପୂଜାର୍ଚ୍ଚନା, ଘଣ୍ଟବାଦ୍ୟ, ହରିବୋଲ ଓ ହୁଳହୁଳି ଧ୍ୱନିରେ ରାସ୍ତା କମ୍ପି ଉଠିଥିଲା। ଏହି ଅବସରରେ ଅନ୍ୟତମ ଅତିଥି ଭାବେ ଆଇନଜୀବୀ ଅଶୋକ କୁମାର ସାହୁ, ଯୋଗେଶ ପ୍ରସାଦ ନାୟକ, ଉପଜିଲାପାଳ ରବୀନ୍ଦ୍ରନାଥ କହଁର, ତହସିଲଦାର ଦେବୀ ପ୍ରସାଦ ଦାଶ ଏବଂ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହଙ୍କ ସମେତ ଜିଲା ପ୍ରଶାସନ ଏବଂ ବନ ବିଭାଗର ଅଧିକାରୀ ଓ ସହରର ଶ୍ରଦ୍ଧାଳୁମାନେ ଉପସ୍ଥିତ ରହି ଜୟ ଜଗନ୍ନାଥ ଓ ହରିବୋଲ ଧ୍ୱନି ଦେଇ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ରଥ ନିମନ୍ତେ ଗୋଟିଏ ଟ୍ରକ୍‌ରେ କାଠ ପଠାଇଥିଲେ। ରଥ ନିର୍ମାଣ ପାଇଁ ବୌଦ୍ଧରୁ ସମୁଦାୟ ୩୦୨ ଖଣ୍ଡ କାଠ ପଠାଯିବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୨୮ ଖଣ୍ଡ ଧଉରା କାଠ ଗୋଟିଏ ଟ୍ରକ୍‌ ଯୋଗେ ପଠାଯାଇଛି। ମାଧପୁର, ମନମୁଣ୍ଡା ଆଦି ଅଞ୍ଚଳରୁ ଆହୁରି ୨୩୦ ଖଣ୍ଡ ଅସନ, ୨୦ ଖଣ୍ଡ ଧଉରା, ୧୨ ଖଣ୍ଡ ଫାସି ଓ ୨ ଖଣ୍ଡ ଶିମିଳି କାଠ ଚିହ୍ନଟ କରାଯାଇ କଟାଯାଇଛି। ସେଗୁଡ଼ିକୁ ତୁରନ୍ତ ପୁରୀ ଅଭିମୁଖେ ପଠାଯିବାର ରହିଛି। ପୁରୀର ପ୍ରତିନିଧି ସୁଦର୍ଶନ ମେକାପଙ୍କ ନେତୃତ୍ୱରେ ମହାରଣାମାନେ ଆସି ରଥକାଠଗୁଡ଼ିକୁ ଚିହ୍ନଟ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share