Categories: ଖେଳ

ଚାର୍ଲି ଚାପ୍‌ଲିନ୍‌ ବେଶରେ ଷ୍ଟାଡିୟମରେ ଉତ୍ତମ

ରାଉରକେଲା ଅଫିସ,୨୯ା୧: ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଶନିବାର ଭାରତ ଦଳ ତାର ଶେଷ ମ୍ୟାଚ ଦକ୍ଷିଣ ଆଫ୍ରିକା ସହିତ ଖେଳିଥିଲା। ଏହି ଖେଳ ସନ୍ଧ୍ୟା ୭ଟାରେ ଆରମ୍ଭ ହୋଇଥିଲା। ଏହି ଖେଳ ଆରମ୍ଭ ପୂର୍ବରୁ ରାଉରକେଲା ସରକାରୀ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ହିନ୍ଦି ବିଷୟରେ ଡିଗ୍ରୀ କରୁଥିବା ଛାତ୍ର ଉତ୍ତମ ତାଣ୍ଡି ଚାର୍ଲି ଚାପଲିନଙ୍କ ବେଶରେ ଷ୍ଟାଡିୟମରେ ପହଞ୍ଚିଥିଲେ। ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ଗେଟ ନଂ.୬ ସମ୍ମୁଖରେ ଭାରତ ମ୍ୟାଚ ଦେଖିବା ପାଇଁ ଭିଡ଼ ଲାଗିଥିବା ଦର୍ଶକଙ୍କୁ ଭାରତର ଜାତୀୟ ପତାକା ହାତରେ ଧରି ଚାର୍ଲି ଚାପଲିନଙ୍କ ବିଭିନ୍ନ ହାସ୍ୟ ରଙ୍ଗଶୈଳୀ ପ୍ରଦର୍ଶନ କରି ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ଭାରତୀୟ ଦଳ ବିଶ୍ୱକପ କ୍ରସ୍‌ ଓଭରରୁ ବିଦା ହୋଇଥିଲେ ମଧ୍ୟ ହକିର ପ୍ରସାର ଓ ପ୍ରଚାର କିଭଳି ଅଧିକ ହୋଇପାରିବ ସେନେଇ ଉତ୍ତମ ଚାର୍ଲି ଚାପଲିନ ବେଶରେ ଷ୍ଟାଡିୟମ ବାହାରେ ହକି କ୍ରୀଡାପ୍ରେମୀଙ୍କୁ ଅବଗତ କରାଇଥିଲେ। ଏହା ପୂର୍ବରୁ ଉତ୍ତମ ପରିବେଶ ସୁରକ୍ଷା, ସଡକ ସୁରକ୍ଷା ସଚେତନତା ଉପରେ ଅମୀର ଖାନଙ୍କ ପି.କେ ବେଶରେ ବିଭିନ୍ନ ଜନହିତ ଦିଗରେ ଅବଗତ କରାଇଥିଲେ।

ଭାରତ ଅଭ୍ୟାସ ମ୍ୟାଚ ଖେଳିଲେ ବି ଦର୍ଶକ ଭିଡ଼ ହେବେ
ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଶନିବାର ୪ଟି ମ୍ୟାଚ ଖେଳା ଯାଇଥିଲା। ଉକ୍ତ ସନ୍ଧ୍ୟାର ଶେଷ ମ୍ୟାଚ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଭାରତୀୟ ଦଳ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଦୁଇଟି ମ୍ୟାଚ ଜିତିଥିବାବେଳେ ଇଂଲଣ୍ଡ ବିପକ୍ଷ ମ୍ୟାଚ ଡ୍ର ରଖିଥିଲା। ବିର୍ସା ମୁଣ୍ଡା ଷ୍ଟାଡିୟମରେ ଯେଉଁ ଦିନ ଭାରତର ମ୍ୟାଚ ଖେଳା ଯାଇଥିଲା ଉକ୍ତ ଦିନ ଆମର ବ୍ୟବସାୟରେ ଦୁଇଗୁଣା ଲାଭ ହୋଇଥିବା ଚିତ୍ରଶିଳ୍ପୀ ସୌରଭ ବାଗ ମତ ପ୍ରକାଶ କରିଥିଲେ। ସୌରଭ ଜଣେ ଚିତ୍ରଶିଳ୍ପୀ ହୋଇଥିବାବେଳେ ସେ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ୫ ଓ ୬ ନମ୍ବର ଗେଟରେ ରହି ବିଭିନ୍ନ ଦର୍ଶକଙ୍କ ଗାଲରେ ତ୍ରିରଙ୍ଗା ଚିତ୍ର ଆଙ୍କୁଥିଲେ। ଏଥିସହ ବିଶ୍ୱକପ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟର ଚିତ୍ର ଷ୍ଟାଡିୟମକୁ ଆସୁଥିବା ଅନେକ ଦର୍ଶକଙ୍କ ଶରୀରରେ ଚିତ୍ରଣ କରି ଭାରତୀୟ ଦଳକୁ ଉତ୍ସାହିତ କରୁଥିଲେ। ଏନେଇ ସୌରଭଙ୍କୁ ପଚାରିବାରୁ ସେ କହିଥିଲେ, ଯଦି ଏଫଆଇଏଚ ବା ହକି ଇଣ୍ଡିଆ ଭାରତର କୌଣସି ଅଭ୍ୟାସ ମ୍ୟାଚ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆୟୋଜନ କରେ ଜିଲାରେ ହକିର ଏତେ କ୍ରେଜ ଅଛି ଯେ ନିଶ୍ଚିତ ଷ୍ଟାଡିୟମ ଆଖପାଖରେ ବ୍ୟବସାୟ କରୁଥିବା ବହୁ ବ୍ୟବସାୟୀ ଲାଭବାନ ହେବ।
– ରିପୋର୍ଟ: ଦୀନେଶ ମିଶ୍ର

Share