Categories: ଖେଳ

ଭାରତ ବିଦାୟ ପଛରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ

ଭୁବନେଶ୍ୱର,୨୫ା୧(ସ୍ପୋଟର୍‌ସ ବ୍ୟୁରୋ): ଲଗାତର ଦ୍ୱିତୀୟଥର ପାଇଁ ଘରୋଇ ମାଟିରେ ବିଶ୍ୱକପ୍‌ ଖେଳୁଥିବା ଭାରତୀୟ ହକି ଦଳର କ୍ୱାର୍ଟର ଫାଇନାଲ ସମ୍ଭାବନାକୁ ଶେଷ କରି ଦେଇଥିଲା ନ୍ୟୁଜିଲାଣ୍ଡ। ରବିବାର କ୍ରସ୍‌ଓଭର ମ୍ୟାଚ୍‌ରେ ସଡନ୍‌ ଡେଥ୍‌ରେ ନ୍ୟୁଜିଲାଣ୍ଡ ମ୍ୟାଚ୍‌ ଜିତିଥିବା ବେଳେ ଦଳ ପାଇଁ ହିରୋ ରହିଥିଲେ ଗୋଲ୍‌କିପର ଲିଓନ୍‌ ହାଓ୍ବାର୍ଡ। ଲିଓନ୍‌ଙ୍କ ଏହି ପ୍ରଦର୍ଶନ ବଳରେ ପ୍ରଥମଥର ପାଇଁ ନ୍ୟୁଜିଲାଣ୍ଡ ହକି ବିଶ୍ୱକପ୍‌ର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। କ୍ୱାର୍ଟରରେ ବେଲଜିୟମ ନିକଟରୁ ହାରି ବିଦାୟ ନେଇଥିଲେ ହେଁ ଲିଓନଙ୍କ କାହାଣୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଭାରତ ବିପକ୍ଷ ବିଜୟର ନାୟକ ସାଜିଥିବା ୩୨ ବର୍ଷୀୟ ଲିଓନ୍‌ ଜଣେ ପେସାଦାର ଚାର୍ଟାର୍ଡ ଆକାଉଣ୍ଟାଣ୍ଟ। ଏପରି କି ସେ କେବଳ ନିଜ ଅବସର ସମୟରେ ହକି ଖେଳନ୍ତି। ଭାରତ ବିପକ୍ଷ ବିଜୟକୁ ନିଜ ହକି କ୍ୟାରିୟରର ସ୍ମରଣୀୟ ମୁହୂର୍ତ୍ତ ବୋଲି କହିଛନ୍ତି ଲିଓନ୍‌। ରବିବାରର କ୍ରସ୍‌ଓଭର ମ୍ୟାଚ୍‌ରେ ସମ୍‌ଶେର ସିଂଙ୍କ ଶଟ୍‌କୁ ରୋକିବା ସହିତ ନିଆରା ଢଙ୍ଗରେ ନୃତ୍ୟକରି ସେଲିବ୍ରେଶନ୍‌ କରିଥିଲେ। ନୃତ୍ୟ କରିବା ସମୟରେ ଲିଓନ୍‌ଙ୍କ ସହ ସମ୍ପୂର୍ଣ୍ଣ ଦଳ ଯୋଗଦେଇଥିଲା। ପେନାଲ୍ଟି ଶୁଟ୍‌ଆଉଟରେ ଲିଓନ୍‌ଙ୍କ ପ୍ରଦର୍ଶନ ଅତି ଚମତ୍କାର ରହିଥିଲା। ଅକ୍‌ଲାଣ୍ଡ ବାସିନ୍ଦା ଲିଓନ୍‌ ହାଓ୍ବାର୍ଡ ଜଣେ ପେସାଦାର ଚାର୍ଟାର୍ଡ ଆକାଉଣ୍ଟାଣ୍ଟ। ୮ଟି ପେନାଲ୍ଟି ଶଟ୍‌ରୁ ସେ ୫ଟି ଶେଭ୍‌ କରିବାରେ ସମର୍ଥ ହୋଇଥିଲେ। ପୂର୍ବରୁ ନିର୍ଦ୍ଧାରିତ ସମୟରେ ଦଳର ଅନ୍ୟତମ ଗୋଲକିପର ଡୋମିନିକ୍‌ ଡିକ୍ସନ ଭାରତୀୟ ଆକ୍ରମଣ ବିପକ୍ଷରେ ୫ଟି ପେନାଲ୍ଟି କର୍ନର ରୋକିଥିଲେ। ପି.ଆର. ଶ୍ରୀଜେଶଙ୍କୁ ମୋର ହିରୋ ବୋଲି ମାନୁଥିବା ବେଳେ ତାଙ୍କ ସମ୍ମୁଖରେ ଏପରି ପ୍ରଦର୍ଶନ ମୋ ପାଇଁ ସର୍ବଦା ସ୍ମରଣୀୟ ରହିବ। ମ୍ୟାଚ୍‌ର ଏଭଳି ସମୟ ପାଇଁ ମୁଁ ଆଗରୁ ପ୍ରସ୍ତୁତି କରିଥିଲି। ନିଜ ଉପରେ ରହିଥିବା ଭରସା କାରଣରୁ ସଫଳତା ମିଳିଲା ବୋଲି ସେ କହିଛନ୍ତି। ଲିଓନ୍‌ ବିଗତ ବର୍ଷରେ ଅନେକ ଚାକିରି କରିବା ସହିତ ହକି ପ୍ରଶିକ୍ଷକ ଭାବେ କାମ କରିଛନ୍ତି। ଦିନରେ ଓ୍ବାଇକାଟୋ ଫାର୍ମରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଭାବେ କାମ କରୁଥିବା ବେଳେ ଖାଲି ସମୟରେ ହକି ଅଭ୍ୟାସ କରିଥାନ୍ତି। ଅଫିସ କାମ ଶେଷ କରିବା ପରେ ସପ୍ତାହରେ ୧୦-୧୫ ଘଣ୍ଟା ହକି ଅଭ୍ୟାସ କରୁଥିବା ସୂଚନା ଦେଇଛନ୍ତି ହାଓ୍ବାର୍ଡ। କାମ ସହିତ ଖେଳିବା ବେଳେବେଳେ କଷ୍ଟଦାୟକ ହୋଇଥାଏ। ମାତ୍ର ଅଫିସ୍‌ରୁ ତାଙ୍କୁ ମିଳିଥିବା ସହଯୋଗ କାରଣରୁ ସେ ଏତେବାଟ ଆସିପାରିଥିବା କହିଛନ୍ତି। ହକି ଖେଳିବା ଲାଗି ବେଳେବେଳେ ମାତ୍ର ୩-୪ ଘଣ୍ଟା ଅଫିସରେ ରହିବାକୁ ଅନୁମତି ମିଳିଥାଏ ବୋଲି ସେ କହିଛନ୍ତି। ହାଓ୍ବାର୍ଡଙ୍କ ବଡ଼ଭାଇ ଜେରେମି ହାଓ୍ବାର୍ଡ ଅଷ୍ଟ୍ରେଲିଆ ପକ୍ଷରୁ ଖେଳିଥାନ୍ତି। ଚଳିତ ବିଶ୍ୱକପ୍‌ରେ ଜେରେମି ଅଷ୍ଟ୍ରେଲିଆ ପାଇଁ ଏକ ହାଟ୍ରିକ୍‌ ସ୍କୋର ମଧ୍ୟ କରିଛନ୍ତି। ଉଭୟଙ୍କ ମାତାପିତା ରବିବାର କଳିଙ୍ଗ ଷ୍ଟାଡିୟମ ଷ୍ଟାଣ୍ଡରେ ଉପସ୍ଥିତ ଥିଲେ। ଦୁଇଭାଇଙ୍କ ଦଳ ବର୍ତ୍ତମାନ ନକ୍‌ଆଉଟରେ ପ୍ରବେଶ କରିଥିବା ବେଳେ ହାଓ୍ବାର୍ଡଙ୍କ ଦଳ ନ୍ୟୁଜିଲାଣ୍ଡ ସମ୍ମୁଖରେ ଡିଫେଣ୍ଡିଂ ଚାମ୍ପିୟନ ବେଲ୍‌ଜିୟମର ଚ୍ୟାଲେଞ୍ଜ ରହିଛି।

Share