ମା’ ହେବାକୁ ଯାଉଛନ୍ତି ସୁସ୍ମିତା ସେନ୍‌ଙ୍କ ଭାଉଜ; ବିବାହ ପରେ ସମ୍ପର୍କରେ ତିକ୍ତତାକୁ ନେଇ ଥିଲେ ଚର୍ଚ୍ଚାରେ…

ବମ୍ବେ: ଲୋକପ୍ରିୟ ଟେଲି ଅଭିନେତ୍ରୀ ଚାରୁ ଅସୋପାଙ୍କ ହାତ ଧରି ସମସ୍ତଙ୍କୁ ଚମକାଇ ଦେଇଥିଲେ ସୁସ୍ମିତା ସେନ୍‌ଙ୍କ ଭାଇ ରାଜୀବ। ବିବାହର କିଛି ଦିନ ପରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା। ଉଭୟ କିଛି ଦିନ ପରସ୍ପରଠାରୁ ଅଲଗା ମଧ୍ୟ ରହିଥିଲେ। ଘଟଣାଟି ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲେ ହେଁ ଧିରେ ଧିରେ ସବୁକିଛି ଠିକ୍‌ ହୋଇଥିଲା। ରାଜୀବ ପୂର୍ବଭଳି ଚାରୁଙ୍କ ସହ ସମୟ ବିତାଉଥିବା ନଜର ଆସିଥିଲା। ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ଥିବା ଚାରୁ ଉଭୟଙ୍କ ଫଟୋ ଶେୟାର କରି ସମ୍ପର୍କରେ ଫାଟ ନେଇ ହେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ଏବେ ଉଭୟ ଦୁଇରୁ ତିନି ହେବାକୁ ଯାଉଛନ୍ତି। କହିବାର ତାତ୍ପର୍ଯ୍ୟ ଚାରୁ ମା’ ହେବାକୁ ଯାଉଥିବା ନେଇ ପ୍ରଶଂସକଙ୍କୁ ଖୁସିଖବର ଜଣାଇଛନ୍ତି।

ଉଭୟ ଚାରୁ-ରାଜୀବ ନିଜ ନିଜ ସୋସିଆଲ ପୃଷ୍ଠାରେ ଫଟୋ ଶେୟାର କରିଛନ୍ତି। ଚାରୁ ଶେୟାର କରିଥିବା ଫଟୋରେ ବେବିବମ୍ପ ନଜର ଆସୁଛି। ସେହିଭଳି ରାଜୀବ ଉଭୟଙ୍କର ଏକ ଫଟୋ ଶେୟାର କରି ସେ ବାପା ହେବାକୁ ଯାଉଥିବା କହିଛନ୍ତି।

କହିରଖୁଛୁ, ୨୦୧୯ ଜାନୁଆରୀରେ ପରସ୍ପରକୁ ଭେଟିଥିଲେ ଚାରୁ ଏବଂ ରାଜୀବ। ଧିରେ ଧିରେ ଉଭୟ ସମୟ ଅତିବାହିତ କରିବା ସହ ପ୍ରେମ ଓ ପରେ ବିବାହ ପର୍ଯ୍ୟନ୍ତ କଥା ବଢ଼ିଥିଲା। ଉକ୍ତ ବର୍ଷ ଜୁନରେ ଗୋଆରେ ସେମାନେ ଧୁମ୍‌ଧାମ୍‌ରେ ବିବାହ କରିଥିଲେ। ଚଳିତ ବର୍ଷ ଜୁନ୍‌ରେ ଚାରୁଙ୍କ ବିବାହକୁ ୨ ବର୍ଷ ପୁରିବାକୁ ଯାଉଛି।

Share