ପ୍ରଥମ ବିବାହ ବିଷୟରେ ଲୁଚାଇଥିଲେ ଚାରୁ! ଏବେ ପଠାଇଲେ ଲିଗାଲ ନୋଟିସ୍‌

ବମ୍ବେ: ମାତ୍ର ତିନି ବର୍ଷର ବୈବାହିକ ସମ୍ପର୍କ। ବାଟ ଅଲଗା କରିବାକୁ ମନସ୍ଥ କରିସାରିଲେଣି ଦୁହେଁ। ଆମେ କହୁଛୁ ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ରାଜୀବ ଏବଂ ତାଙ୍କ ଅଭିନେତ୍ରୀ ସ୍ତ୍ରୀ ଚାରୁ ଅସୋପାଙ୍କ ବିଷୟରେ। ଟେଲିଜଗତର ଚର୍ଚ୍ଚିତ ଯୋଡ଼ି ମାନଙ୍କ ମଧ୍ୟରୁ ଅନ୍ୟତମ ଏହି ଯୋଡ଼ି ହଠାତ ଛାଡ଼ପତ୍ର ନେଉଥିବା ଖବର ସାମ୍ନାକୁ ଆସିଛି। ଏପରିକି ଚାରୁ ରାଜୀବଙ୍କୁ ଲିଗାଲ୍‌ ନୋଟିସ୍‌ ପଠାଇଛନ୍ତି। ଜୁନ ୭ରେ କରାଯାଇଥିବା ଏହି ନୋଟିସ୍‌ରେ ଅଲଗା ହେବା ବିଷୟରେ ଉଲ୍ଲେଖ ରହିଥିବା ଜଣାପଡ଼ିଛି।

ସମ୍ପର୍କରେ କିଛି ନ ଥିବାରୁ ଅଲଗା ହୋଇଯିବା ଠିକ୍‌। କାରଣ ସେ ଚାହାନ୍ତି ନାହିଁ ତାଙ୍କ ଝିଅ ଏପରି ପରିସ୍ଥିତିରେ ବଡ଼ ହେଉ ବୋଲି ଚାରୁ କହୁଛନ୍ତି। ଅପରପକ୍ଷେ ରାଜୀବ ଚାରୁଙ୍କ ଉପରେ ଭିନ୍ନ ଅଭିଯୋଗ ଆଣିଛନ୍ତି। ସେ ପୂର୍ବରୁ ବିବାହିତ ଥିଲେ ହେଁ ସେ ବିଷୟରେ ରାଜୀବ ଜାଣି ନ ଥିଲେ। କାରଣ ଅଭିନେତ୍ରୀ ନିଜର ପ୍ରଥମ ବିବାହ କଥା ତାଙ୍କୁ କହି ନ ଥିଲେ। ରାଜସ୍ଥାନରେ ଥିବା ତାଙ୍କ ପରିବାରକୁ ଛାଡ଼ି ଦେଲେ ଏକଥା କେହି ବି ଜାଣି ନ ଥିଲେ। ଯେତେବେଳେ ସେ ତାହା ଜାଣିଲେ ଚକିତ ହେଲେ ବୋଲି ରାଜୀବ କହିଛନ୍ତି। ଏନେଇ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି ଚାରୁ।

୨୦୦୭ରେ ତାଙ୍କର ପ୍ରଥମ ବିବାହ ହୋଇଥିଲା। ସେତେବେଳେ ତାଙ୍କୁ ମାତ୍ର ୧୮ ବର୍ଷ ହୋଇଥିଲା। ୨୦୧୬ ନଭେମ୍ବରରେ ସେ ପ୍ରଥମ ସ୍ବାମୀଙ୍କଠାରୁ ଅଲଗା ହୋଇଥିଲେ। ରାଜୀବ ଏ ବିଷୟରେ ଜାଣିଥିବା ବେଳେ ଅତୀତକୁ ଭୁଲି ଆଗକୁ ବଢ଼ିବା ଏବଂ ବମ୍ବେରେ ନିଜ ବଳରେ କ୍ୟାରିୟର କରିଥିବାକୁ ନେଇ ପ୍ରଶଂସା କରୁଥିବା ଚାରୁ କହିଛନ୍ତି।

କିଏ ସତ କହୁଛି କିଏ ମିଛ ତାହା ଜଣାପଡ଼ି ନ ଥିଲେ ହେଁ ଉଭୟଙ୍କ ପ୍ରଶଂସକ ଏହି ଖବର ଶୁଣି ଦୁଃଖ ପ୍ରକାଶ କରୁଛନ୍ତି।

Share