Categories: ଖେଳ

ମୁଖ୍ୟମନ୍ତ୍ରୀଙ୍କ ସହ ଚୌବେ, ପ୍ରଭାକରନଙ୍କ ଆଲୋଚନା

ଭୁବନେଶ୍ୱର, ୨୨।୯ (କ୍ରୀଡ଼ା ପ୍ରତିନିଧି): ସମ୍ପ୍ରତି ଓଡ଼ିଶା ଗସ୍ତରେ ଥିବା ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ସଭାପତି କଲ୍ୟାଣ ଚୌବେ ଓ ମହାସଚିବ ଶାଜି ପ୍ରଭାକରନ ବୁଧବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ଓଡ଼ିଶାରେ ମହିଳା ଫୁଟବଲର ବିକାଶ ଏବଂ କଳିଙ୍ଗ କପ୍‌ ଫୁଟବଲ ଟୁର୍ନାମେଣ୍ଟର ପୁନଃଆରମ୍ଭ ସମ୍ପର୍କରେ ଆଲୋଚନା ହୋଇଥିଲା ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ କରି ଜଣାଇଛନ୍ତି। ଓଡ଼ିଶାର ସ୍ପୋର୍ଟିଂ ଇକୋସିଷ୍ଟମକୁ ପ୍ରଶଂସା କରିଥିବାରୁ ମୁଖ୍ୟମନ୍ତ୍ରୀ ଏହି ଦୁଇ ଫୁଟବଲ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସାକ୍ଷାତ ଅବସରରେ ଚୌବେ ଓ ପ୍ରଭାକରନଙ୍କୁ ମୁଖ୍ୟମନ୍ତ୍ରୀ ଉପହାର ସ୍ବରୂପ ଜର୍ସି ପ୍ରଦାନ କରିଥିଲେ।

କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ
ପରେ ଉଭୟ ଚୌବେ ଓ ପ୍ରଭାକରନ କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରିଛନ୍ତି। ଏହି ଅବସରରେ ଭାରତୀୟ ଫୁଟବଲର ଏହି ଦୁଇ ଶୀର୍ଷ ଅଧିକାରୀ ରାଜ୍ୟ କ୍ରୀଡ଼ା ସଚିବ ଆର. ଭିନିଲ କ୍ରିଷ୍ଣାଙ୍କ ସହ ଆସନ୍ତା ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ଏବଂ ଓଡ଼ିଶାରେ ଫୁଟବଲର ସାମଗ୍ରିକ ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ। ଚୌବେ ଓ ପ୍ରଭାକରନ କଳିଙ୍ଗ ଷ୍ଟାଡିୟମର ଫୁଟବଲ ଗ୍ରାଉଣ୍ଡ ଏବଂ ଏହା ପରିସରରେ ଥିବା ଅନ୍ୟ ପ୍ରକଳ୍ପକୁ ବୁଲି ଦେଖିଥିଲେ। ରାଜ୍ୟ କ୍ରୀଡ଼ା ବିଭାଗ ଏବଂ ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ)ର ଅଧିକାରୀମାନେ ତାଙ୍କୁ ସହାୟତା କରିଥିଲେ।

Share