ଛାୟା ମା’ଙ୍କ ପରଲୋକ

ନିଶ୍ଚିନ୍ତକୋଇଲି,୨୧(ସ୍ବ.ପ୍ର.): ନିଶ୍ଚିନ୍ତକୋଇଲି ବ୍ଲକରେ ଦୀର୍ଘବର୍ଷ ହେବ ଭିକ୍ଷାବୃତ୍ତି କରି ଶନିଶ୍ଚରଙ୍କ ବିଗ୍ରହ ପ୍ରତିଷ୍ଠା କରିଥିବା ଛାୟା ଦେବୀ ଓରଫ ଛାୟା ମା’ଙ୍କ ଶନିବାର ସକାଳେ ମୃତ୍ୟୁ ଘଟିଛି। ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ସେ ଗୁରୁତର ହୋଇପଡ଼ିଥିଲେ। ସ୍ଥାନୀୟ ଯୁବକମାନେ ତାଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଛାୟାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଛାୟା ମା’ଭିକ୍ଷାବୃତ୍ତି କରିବା ସହ ନିଶ୍ଚିନ୍ତକୋଇଲି ସ୍ବେତବଟସ୍ଥିତ ଶନିଶ୍ଚର ଦେବ ପୀଠରେ ରହି ଠାକୁରଙ୍କ ସେବା କରୁଥିଲେ। ପରେ ବେଲେଶ୍ୱରୀଙ୍କ ପାଖରେ ଶନିଶ୍ଚରଙ୍କ ବିଗ୍ରହ ପ୍ରତିଷ୍ଠା କରିଥିଲେ। ତେବେ ବାର୍ଦ୍ଧକ୍ୟଜନିତ କାରଣରୁ ଭିକ୍ଷାବୃତ୍ତି ବନ୍ଦ କରିଦେଇଥିଲେ। ମାତ୍ର ସରକାରଙ୍କ ପକ୍ଷରୁ ମିଳୁଥିବା ଭତ୍ତା ଟଙ୍କାକୁ ଶନିଦେବଙ୍କ ପାଖରେ ଅର୍ପଣ କରି ଦେଉଥିଲେ। କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ସ୍ଥାନୀୟ ଯୁବକମାନେ ତାଙ୍କୁ ବିଜୁ ମାର୍କେଟ କମ୍ପ୍ଲେକ୍ସ ଗୃହରେ ରଖି ସେବା କରୁଥିଲେ। ମୃତ୍ୟୁ ପରେ ନିଶ୍ଚିନ୍ତକୋଇଲି ସଚେତନ ନାଗରିକ ମଞ୍ଚ ସଭାପତି ମନୋଜ ମଲ୍ଲିକଙ୍କ ନେତୃତ୍ୱରେ ସାମାଜିକ କର୍ମୀ ବାପୁ ଦାସ, ସତ୍ୟଜିତ ମହାପାତ୍ର, ଶୁଭାଶିଷ ବସନ୍ତରାୟ, ନବୀନ୍ଦ୍ର ବେହେରା, ପ୍ରମୋଦ ନାୟକ, ସୁଲଭ ପଲେଇ, ମକର ପରିଡା ଓ ବଳରାମ ପତି ପ୍ରମୁଖ ଛାୟା ମା’ଙ୍କ ମୃତଦେହକୁ ଶୋଭାଯାତ୍ରାରେ ନେଇ ଚିତ୍ରୋତ୍ପଳା ନଦୀଶଯ୍ୟାସ୍ଥିତ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରିଥିଲେ। ମିଟୁ ଦାସ ମୁଖାଗ୍ନି ଦେଇଥିଲେ। ମଞ୍ଚ ପକ୍ଷରୁ ଛାୟା ମା’ଙ୍କ ଶୁଦ୍ଧିକ୍ରିୟା ସମ୍ପନ୍ନ କରାଯିବ ବୋଲି ସଭାପତି ମଲ୍ଲିକ ପ୍ରକାଶ କରିଛନ୍ତି।

Share