ନୂଆଦିଲ୍ଲୀ: ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ଶନିବାର ଦେଶରେ ସବୁଠାରୁ ଶସ୍ତା ପ୍ଲାନ୍ର ଶୁଭାରମ୍ଭ କରିଛି। କମ୍ପାନୀ ୪୭ ଟଙ୍କା ମୂଲ୍ୟର ଏକ ନୂତନ ରିଚାର୍ଜ ପ୍ଲାନ୍ ଆରମ୍ଭ କରିଛି। ଏହି ପ୍ଲାନ୍ ଯୋଜନାରେ ଅସୀମିତ ଭଏସ୍ କଲିଂ (ବିଏସ୍ଏନ୍ଏଲ୍କୁ ଅସୀମିତ କଲିଂ) ବ୍ୟତୀତ ଡାଟା ଏବଂ ଏସ୍ଏମ୍ଏସ୍ ଭଳି ସୁବିଧା ପ୍ରଦାନ କରୁଛି। ସବୁଠାରୁ ବଡ଼ କଥା ହେଲା, ଦେଶରେ ଉଭୟ ଡାଟା ଓ କଲିଂ ପାଇଁ ଦିଆଯାଉଥିବା ଶସ୍ତା ପ୍ଲାନ୍ ମଧ୍ୟରୁ ଏହା ସବୁଠାରୁ ଶସ୍ତା ବୋଲି ଜଣାପଡିଛି। ତେବେ ଏହି ପ୍ଲାନ୍ ପାଇଁ କିଛି ସର୍ତ୍ତାବଳୀ ମଧ୍ୟ ରହିଛି। ଏହି ପ୍ଳାନ୍ର ଲାଭ ସେହିମାନେ ପାଇପାରିବେ ଯେଉଁମାନେ ନୂଆ ଗ୍ରାହକ ହୋଇଥିବେ ଓ ପ୍ରଥମ ଥର ପାଇଁ ରିଚାର୍ଜ କରିବେ। ଏହା ଅନ୍ୟ ଟେଲିକମ କମ୍ପାନୀ ଅପେକ୍ଷା ସବୁଠାରୁ ଶସ୍ତା ଏଫ୍ଆର୍ସି (ଫାଷ୍ଟ ରିଚାର୍ଜ)ବୋଲି ଜଣାପଡିଛି। ପୂର୍ବରୁ ଭାରତୀ ଏୟାରଟେଲ ଏବଂ ଭୋଡାଫୋନ୍-ଆଇଡିଆର ଫାଷ୍ଟ ରିଚାର୍ଜ ୯୭ ଟଙ୍କାରୁ ଆରମ୍ଭ ହୋଇଥିବାବେଳେ ଜିଓ ସିମ୍ରେ ପ୍ରାଇମ ସବ୍ସ୍କ୍ରିପ୍ସନ ପାଇବା ପାଇଁ ଆପଣଙ୍କୁ ୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା। ବିଏସ୍ଏନ୍ଏଲ୍ର ୪୭ ଟଙ୍କା ରିଚାର୍ଜରେ ଗ୍ରାହକମାନେ ଅସୀମିତ ରୋମିଂ, ଏସ୍ଟିଡି ଏବଂ ଲୋକାଲ କଲ୍ କରିପାରିବେ। ଏହା ସହିତ ରୋମିଂରେ ଅସୀମିତ କଲିଂର ଲାଭ ମଧ୍ୟ ପାଇପାରିବେ। ଉକ୍ତ ପ୍ଲାନ୍ ସହିତ ୧୪ ଜିବି ଡାଟା ଉପଲବ୍ଧ ସହ୨୮ ଦିନର ବୈଧତା ରହିଛି। ଏହା ଜରିଆରେ ପ୍ରତିଦିନ ୧୦୦ ଟି ଏସ୍ଏମ୍ଏସ୍ କରିପାରିବେ। ତେବେ ଏଫ୍ଆର୍ସି ୪୭କୁ ଏକ ପ୍ରୋତ୍ସାହନମୂଳକ ଅଫର ଭାବରେ ୩୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଉପଲବ୍ଧ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ବର୍ତ୍ତମାନ ଚେନ୍ନାଇ ଏବଂ ତାମିଲନାଡୁ ଟେଲିକମ୍ ସର୍କଲରେ ନୂତନ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।