Advertisement

ଶସ୍ତାରେ ବୋଲେରୋ ଦେବାକୁ କହି ଠକିନେଲେ ୬ ଲକ୍ଷ ୩୫ ହଜାର ଟଙ୍କା

କୋରାପୁଟ,୨୦।୨(ଅମିତାଭ ବେହେରା): ଶସ୍ତାରେ ବୋଲେରୋ ପିକଅପ୍‌ ଭ୍ୟାନ ଦେବାକୁ କହି ଅନ୍‌ଲାଇନ ଜରିଆରେ ୬ଲକ୍ଷ ୩୫ ହଜାର ଟଙ୍କା ଠକେଇ ଘଟଣାରେ ଗୁରବାର କୋରାପୁଟ ସାଇବର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ଅଭିଯୁକ୍ତଙ୍କଠାରୁ ୨ଲକ୍ଷ ଟଙ୍କା ସହ ୭ଟି କ୍ରେଡିଟ ଏବଂ ଡେବିଟ କାର୍ଡ ଓ ଗୋଟିଏ ମୋବଇଲ ଜବତ କରାଯାଇଥିବା କୋରାପୁଟ ସାଇବର ଥାନା ଅଧିକାରୀ ଭବାନୀ ପ୍ରଧାନ ସୂଚନା ଦେଇଛନ୍ତି।

ଗିରଫ ଅଭିଯୁକ୍ତ ହେଲେ ପ୍ରଦୋଷ ପାତ୍ର(୩୫)। ତାଙ୍କ ଘର କଟକ ଜିଲା ବଡମ୍ବା ଅଞ୍ଚଳରେ। ମିଳିଥିବା ସୂଚନା ମୁତାବକ, ଗତବର୍ଷ କୋରାପୁଟ ସଦର ଥାନା ଅନ୍ତର୍ଗତ କୋଲାବନଗର ଅଞ୍ଚଳର ଏସ୍‌ ଜୟସେନ ନାମକ ଜଣେ ବ୍ୟକ୍ତି ଠକେଇର ଶିକାର ହୋଇଥିବା ନେଇ କୋରାପୁଟ ସାଇବର ଥାନାରେ ଅଭିଯୋଗ କରିଥିଲେ। ଏନେଇ କୋରାପୁଟ ସାଇବର ଥାନାରେ ଏକ ମାମାଲା(ନଂ.୧୫/୨୦୨୪) ରୁଜୁ କରାଯାଇଥିଲା। ଘଟଣାର ତଦନ୍ତ ଭାର ଏସ୍‌ଆଇ କ୍ରୀଷ୍ଣ କୁମାରୀ ପ୍ରଧାନଙ୍କୁ ଦିଆଯାଇଥିଲା।

ଅଭିଯୋଗ ମୁତାବକ, ଜୟପୁର ଅଞ୍ଚଳରେ ରହୁଥିବା ପ୍ରଦୋଷଙ୍କ ସହ ଏସ୍‌ ଜୟସେନଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା। ଜୟସେନ ବ୍ୟବସାୟୀକ ଉଦ୍ଦେଶ୍ୟରେ ଏକ ବୋଲେରୋ ପିକଅପ୍‌ର ଅବଶ୍ୟକ ଥିବା ନେଇ ପ୍ରଦୋଷଙ୍କୁ କହିଥିଲେ। ପ୍ରଦୋଷ ଶସ୍ତାରେ ବୋଲେରୋ ପିକଅପ୍‌ ଦେବାକୁ କହିଥିଲେ। ଏନେଇ ପ୍ରଥମେ ଜୟସେନଙ୍କଠାରୁ ଅନ୍‌ଲାଇନ ଜରିଆରେ ୨ଲକ୍ଷ ୫୦ ହଜାର ଟଙ୍କା ନେଇଥିଲେ। ପରେ ୩ ଲକ୍ଷ ୮୦ ହଜାର ଟଙ୍କା ଏବଂ ଶେଷରେ ଗତ ୨୦୨୪ ସେପ୍ଟେମ୍ବର ୧୧ରେ କାଗଜପତ୍ର ବାବଦରେ ୫ ହଜାର ଏହିପରି ୩ଟି ପର୍ଯ୍ୟାୟରେ ମୋଟ ୬ ଲକ୍ଷ ୩୫ ହଜାର ଦେଇଥିଲେ।

୩ ଦିନ ମଧ୍ୟରେ ଗାଡି ଘରେ ପହଞ୍ଚି ଯିବ ବୋଲି ପ୍ରଦୋଷ ତାଙ୍କୁ କହିଥିବା ଜୟସେନ ଏହି ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ହେଲେ ୩ ଦିନ ପରେ ଜୟସେନ ଗାଡ଼ି ନେଇ ପ୍ରଦୋଶଙ୍କୁ ଫୋନ କରିଥିଲେ। ହେଲେ ସେ ଫୋନ ଉଠାଇ ନ ଥିଲେ। ଏପରି ବାରମ୍ବାର ଫୋନ କରି ହତାଶ ହେବା ପରେ ଜୟସେନ କୋରାପୁଟ ସାଇବର ଥାନାରେ ଏତଲା ଦେଇଥିଲେ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଗୁରବାର କୋରାପୁଟ ସାଇବର ପୋଲିସ କଟକ ଜଗତପୁର ଅଞ୍ଚଳରୁ ଗିରଫ କରିବାରେ ସଫଳ ହୋଇଥିବା ସାଇବର ଥାନା ପୋଲିସ ପକ୍ଷରୁ କୁହାଯାଇଛି।

Share