ଅହମଦାବାଦ୍, ୨୯ା୩: ଅହମଦାବାଦର ଶିଲାଜ ଅଞ୍ଚଳରେ ଥିବା ଏକ ବଙ୍ଗଳା ହଡ଼ପ କରିବା ଅଭିଯୋଗରେ ଠକ କିରଣ ପଟେଲଙ୍କ ସ୍ତ୍ରୀ ମାଲିନୀ ପଟେଲଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି। କିରଣ ନିଜକୁ ରିୟଲଇଷ୍ଟେଟ୍ ବିଜ୍ନେସ୍ମ୍ୟାନ୍ର ପରିଚୟ ଦେଇ ବଙ୍ଗଳା ମରାମତି ଲାଗି ମାଲିକ ଜଗଦିଶଙ୍କଠାରୁ ୩୫ ଲକ୍ଷ ଟଙ୍କା ନେଇଥିଲେ। ଘର ମରାମତି ଆଳରେ ପଟେଲ ଦମ୍ପତି ବଙ୍ଗଳାରେ ରହିଥିଲେ। ଜଗଦିଶ ବିରୋଧ କରିବା ପରେ ସେମାନେ ଜଗଦିଶଙ୍କୁ ଟଙ୍କା ନ ଫେରାଇ ବଙ୍ଗଳା ଛାଡ଼ି ପଳାଇଥିବା ପୋଲସ କହିଛି। ନିଜକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଉଚ୍ଚାଧିକାରୀ ପରିଚୟ ଦେଇ କିରଣ ଏକାଧିକ ଥର କଡ଼ା ସୁରକ୍ଷା ଭିତରେ ଜମ୍ମୁ-କଶ୍ମୀର ଭ୍ରମଣ କରିଥିବା ଅଭିଯୋଗ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା।