ପ୍ରେମ ପରେ ପ୍ରତାରଣା, ଥାନାରେ ପହଞ୍ଚିଲେ ପ୍ରେମିକା

ଖଜୁରିପଡ଼ା,୨୧ା୩(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅଧୀନ ପିରିକୁଡ଼ି ପଞ୍ଚାୟତ ଅଞ୍ଚଳର ଜଣେ ଯୁବତୀ ପ୍ରେମ ପ୍ରତାରଣାର ଶିକାର ହୋଇଛନ୍ତି। ପ୍ରେମିକ ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିବା, ଗର୍ଭ ନଷ୍ଟ କରିବା ଏବଂ ଶେଷରେ ଯୁବତୀକୁ ଚିହ୍ନି ନ ଥିବା ଭଳି ଅଭିନୟ କରୁଥିବା ନେଇ ଖଜୁରିପଡ଼ା ଥାନାରେ ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ, ଯୁବତୀଙ୍କ ସହ କୋଟଗଡ ଥାନା ଅନ୍ତର୍ଗତ ମଧୁଗୁଡ଼ା ଗ୍ରାମର ଜଣେ ଯୁବକଙ୍କ ଫୁଲବାଣୀରେ ଦେଖା ସାକ୍ଷାତ ହେବା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଡି ଉଠିଥିଲା। ପରେ ସେମାନଙ୍କ ମଧ୍ୟରେ ଶାରିରୀକ ସମ୍ପର୍କ ଯୋଗୁ ଯୁବତୀ ଗର୍ଭ ଧାରଣ କରିଥିଲେ। ତେଣୁ ସେ ବିବାହ ପାଇଁ ପ୍ରେମିକଙ୍କୁ କହିଥିଲେ। ପ୍ରେମିକ ତାଙ୍କୁ ପ୍ରସାଦ ନାଁରେ ଔଷଧ ଖୁଆଇ ଗର୍ଭ ନଷ୍ଟ କରିବା ପରେ ବିବାହ ପାଇଁ ମନା କରି ଦେଇଥିଲେ। ପ୍ରତାରଣାର ଶିକାର ହୋଇଥିବା ନେଇ ପ୍ରେମିକା ଥାନାରେ ଏତଲା ଦେଇଛନ୍ତି। ଏନେଇ ପୋଲିସ ଏକ ମାମଲା(ନଂ.୩୭/୨୪) ରୁଜୁ କରି ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ ଚାପଧାରୀ ପ୍ରଧାନ କହିଛନ୍ତି।

Share