ଦିଗପହଣ୍ଡି,୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ଗ୍ରାମର ଶ୍ରାବଣୀ ମହାରଣାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଗତ ୧୭ ବର୍ଷ ହେଲା ସମ୍ପର୍କ ରଖିବା ପରେ ମାଣିକ୍ୟପୁର ଗ୍ରାମର ଅମରେଶ କୁମାର ପ୍ରଧାନ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି। ଅମରେଶ ତାଙ୍କ ଗ୍ରାମର ଅନ୍ୟଜଣେ ଯୁବତୀଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେବା ପରେ ଶ୍ରାବଣୀ ଗତ ୧ ତାରିଖରେ କେ.ନୂଆଗାଁ ଥାନାରେ ପହଞ୍ଚି ଏତଲା ଦେଇଥିଲେ। ପୋଲିସ ଅମରେଶଙ୍କୁ ଥାନାକୁ ଡ଼କାଇ ପଚରାଉଚୁରା କରିବା ପରେ ତାଙ୍କୁ ଛାଡ଼ି ଦେଇଥିବା ପ୍ରତିବାଦରେ ଶ୍ରାବଣୀ ମଙ୍ଗଳବାର କେ.ନୂଆଗାଁ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ। ନ୍ୟାୟ ନ ମିଳିଲେ ସେ ଆତ୍ମାହୁତି ଦେବା ପାଇଁ ଚେତାବନୀ ଦେଇଛନ୍ତି।
ଗତ ୨୦୦୮ ମସିହାରେ ଶ୍ରାବଣୀ ଗାଁ ହାଇସ୍କୁଲରେ ୧୦ମ ଶ୍ରେଣୀରେ ପଢୁଥିବାବେଳେ ସହପାଠୀ ଅମରେଶ ତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିଥିଲେ। ପରବର୍ତ୍ତୀ ସମୟରେ ଶ୍ରାବଣୀ ଜୟପୁର ପାରାବେଡ଼ା ଜିରୁ ପଠାନ ଲେନରେ ରହିବା ସହ ସେଠାକାର କଲେଜରେ ପାଠ ପଢୁଥିଲେ। ପରେ ଭୁବନେଶ୍ୱରସ୍ଥିତ ଏକ ଅନୁଷ୍ଠାନରେ ଉଚ୍ଚ ଶିକ୍ଷା କରୁଥିବାବେଳେ ଗତ ୨୦୧୨ରେ ଅମରେଶ ଶ୍ରାବଣୀଙ୍କୁ ବ୍ରହ୍ମପୁର ଡ଼କାଇ ତାଙ୍କୁ ବିବାହ କରିବି ବୋଲି ପ୍ରସ୍ତାବ ଦେଇଥିଲେ।
୨୦୧୩ରୁ ସେ ନିୟମିତ ଭାବେ ତାଙ୍କ ସହ ସମ୍ପର୍କ ରଖିଥିଲେ। ଅମରେଶ ଚେନ୍ନାଇ ର ଭେଣ୍ଟ୍ରା ହେଲଥ ପ୍ରାଇଭେଟ ଲିମିଟେଡ଼ ନାମକ ଏକ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ ଶ୍ରାବଣୀଙ୍କୁ ସେଠାକୁ ଡାକି ନେଇ ସହକର୍ମୀଙ୍କ ନିକଟରେ ସ୍ତ୍ରୀର ପରିଚୟ ଦେଇ ରଖିଥିଲେ। ଶ୍ରାବଣୀଙ୍କ ସହ ଦୀର୍ଘବର୍ଷ ହେଲା ସମ୍ପର୍କ ରଖିବା ପରେ ଅମରେଶ ଅନ୍ୟ ଜଣେ ଯୁବତୀ ଙ୍କୁ ବିବାହ ପାଇଁ ଉଦ୍ୟମ କରିବା ପରେ ଶ୍ରାବଣୀ ଏନେଇ ଗତ ୨୦୨୪ ଡିସେମ୍ବର ୨୦ ତାରିଖରେ ଜୟପୁର ଥାନାରେ ଅମରେଶଙ୍କ ବିରୋଧରେ ଏତଲା ଦେଇଥିଲେ।
ଏତଲାକୁ ଭିତ୍ତିକରି ଥାନା ମାମଲା ନଂ.୩୫୮/୨୪ ଅନୁଯାୟୀ, ପୋଲିସ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡିଛି। ପୋଲିସର ତଦନ୍ତ ପ୍ରକ୍ରିୟା ଚାଲିଥିବାବେଳେ ଅମରେଶ ମାଣିକ୍ୟପୁର ଗ୍ରାମର ଅନ୍ୟଜଣେ ଯୁବତୀଙ୍କୁ ବୁଧବାର ବିବାହ କରିବା ପାଇଁସ୍ଥିର କରିଥିବା ଶ୍ରାବଣୀ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି। ଏନେଇ ଥାନା ଆଇଆଇସି କିଶୋର କୁମାର ସାମଲଙ୍କୁ ପଚାରିବାରୁ ଅମରେଶଙ୍କ ନାଁରେ ପୂର୍ବରୁ ସମାନ ଧରଣର ଅଭିଯୋଗ କ୍ରମେ ଜୟପୁର ଥାନାରେ ମାମଲା ରୁଜୁ କରାଯିବା ସହ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ହାଇକୋର୍ଟଙ୍କ ଆଦେଶ ପ୍ରକାରେ ସେ ଜାମିନରେ ଥିବା ତଦନ୍ତରୁ ଜଣାପଡିଛି। ମାମଲା ନ ସରିବା ଯାଏଁ ଅନ୍ୟତ୍ର ବିବାହ ନ କରିବାକୁ ଅମରେଶଙ୍କୁ ତାଗିଦ କରାଯାଇଥିବା କହିଛନ୍ତି।