ବେତନଟୀ,୧୮।୧୦(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ପୁଣି ଏକ ଲଜ୍ଜାଜନକ ଘଟଣା ଘଟିଛି । ୧୭ ବର୍ଷୀୟା ନାବାଳିକାଙ୍କୁ ପ୍ରେମ ପରେ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖି ପ୍ରତାରଣା କରାଯାଇଥିବା ଜଣାପଡିଛି। ଅନ୍ୟପକ୍ଷେ ଘଟଣାରେ ସମ୍ପୃକ୍ତ ଗୌରାଙ୍ଗ ସିଂ(୨୦)ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ମିଳିଥିବା ସୂଚନା ମୁତାବକ, ବୈଶିଙ୍ଗା ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଗୌରାଙ୍ଗ ପ୍ରଥମେ ପ୍ରେମ ଜାଲରେ ଫସାଇ ଥିଲେ। ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ହେଲେ ଗୌରାଙ୍ଗ ଅନ୍ୟ ଜଣେ ଯୁବତୀଙ୍କୁ ଆଣି ପାଖରେ ରଖିଥିବା ନାବାଳିକା ଜଣକ ଜାଣିବାକୁ ପାଇଥିଲେ। ଅନ୍ୟପକ୍ଷେ ପ୍ରତାରଣାର ଶିକାର ହୋଇଥିବା ନାବାଳିକା ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଥିଲେ। ନାବାଳିକାଙ୍କ ଅଭିଯୋଗ ମୁତାବକ ପୋଲିସ ଏକ ମାମଲା(ନଂ.୩୨୦/୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ଗୌରାଙ୍ଗଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର କହିଛନ୍ତି।