ପ୍ରତିଶ୍ରୁତି ଦେଇ ଶ୍ରମିକଙ୍କୁ ପ୍ରତାରଣା

ଯାଜପୁର/କଳିଙ୍ଗନଗର, ୨୨।୭ (ହର୍ଷବର୍ଦ୍ଧନ ବେହେରା/ ଶୁଭାଶିଷ ରାଉତ): କଳିଙ୍ଗନଗରରେ ପ୍ରତିଷ୍ଠିତ ଡବଲ ବୁଲ ସିମେଣ୍ଟ କମ୍ପାନୀ ନୁଭୋକୋ (ପୂର୍ବ ନାମ ଇମାମି ସିମେଣ୍ଟ)କାରଖାନା କର୍ତ୍ତୃପକ୍ଷ ଜମି ହରାଇଥିବା ପ୍ରଜା ଏବଂ କାର୍ଯ୍ୟରତ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ କରି ନ ପାରିବାରୁ ବ୍ୟାପକ ଜନ ଅଶାନ୍ତି ଦେଖାଦେଇଛି। ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ନେଇ ହୋଇଥିବା ଦାବିଗୁଡ଼ିକର ସମାଧାନ କରିବା ପରିବର୍ତ୍ତେ ପୁଣି ଯଦି ଆନ୍ଦୋଳନ କରିବ ତେବେ ନିଯୁକ୍ତି ହରାଇବ ବୋଲି କାରଖାନାର ଜଣେ ଅଣଓଡ଼ିଆ ଅଧିକାରୀ ଓ ସିକ୍ୟୁରିଟି ହେଡ୍‌ ଧମକ ଦେଉଥିବା ଶ୍ରମିକମାନେ ପ୍ରକାଶ କରିଛନ୍ତି। ଏଭଳି ଭାବେ ପ୍ରତିଶ୍ରୁତି ଦେଇ ନିରୀହ ଶ୍ରମିକଙ୍କୁ ପ୍ରତାରଣା କରାଯାଉଥିବା ଅଭିଯୋଗ ହେଉଛି।

ନୁଭୋକୋ ସିମେଣ୍ଟ କାରଖାନା ପାଇଁ ଜମିହରା ପରିବାରମାନେ ନିଜ ଅଧିକାର ପାଇଁ ପୂର୍ବରୁ ଆନ୍ଦୋଳନ କରି ଆସୁଥିବାବେଳେ ପୋଲିସ ବଳ ପ୍ରୟୋଗ କରାଯାଇ ସେମାନଙ୍କ ସ୍ବରକୁ ଚାପି ଦିଆଯାଉଛି। ଏପରିକି କ୍ଷତିଗ୍ରସ୍ତ ପରିବାରବର୍ଗଙ୍କ ଆନ୍ଦୋଳନକୁ ଅଙ୍କୁଶ ଲଗାଇବାକୁ ଯାଇ କମ୍ପାନୀର ଫାଟକ ସମ୍ମୁଖରେ ପ୍ରଶାସନ ପକ୍ଷରୁ ୨୦୨୦ ଫେବୃୟାରୀରେ ୧୪୪ ଧାରା ଲାଗୁ ହୋଇଥିଲା। ଅନ୍ୟପକ୍ଷେ ଗତ ୨୮ ତାରିଖରେ କାରଖାନାରେ କାର୍ଯ୍ୟରତ ଶ୍ରମିକମାନଙ୍କ କୁଶଳୀ ପଦୋନ୍ନତି, ରାତ୍ରିକାଳୀନ କାର୍ଯ୍ୟ ଭତ୍ତା, କ୍ୟାଣ୍ଟିନ ସୁବିଧା, ଶ୍ରମିକ ବିଶ୍ରାମ ଗୃହ, ପାନୀୟ ଜଳ ଯୋଗାଣ, ଜାତୀୟ ଓ ସ୍ଥାନୀୟ ଛୁଟି ଦିବସରେ ଦରମା ପ୍ରଦାନ ଏବଂ ବାଇକ୍‌ ରଖିବାକୁ ଷ୍ଟାଣ୍ଡ ଦାବିରେ ଆନ୍ଦୋଳନ ହୋଇଥିଲା। ତେବେ ଏହିସବୁ ଦାବିଗୁଡ଼ିକ ପୂରଣ କରାଯିବ ବୋଲି ସେତେବେଳେ କାରଖାନା କର୍ତ୍ତୃପକ୍ଷ କହିଥିଲେ। କିନ୍ତୁ ଆନ୍ଦୋଳନର ୨୨ ଦିନ ଅତିକ୍ରାନ୍ତ ହୋଇ ସାରିଥିବାବେଳେ ଏ ଯାଏ କୌଣସି ଦାବି ପୂରଣ ହୋଇନାହିଁ। ଏହିକ୍ରମରେ ପୁଣି ଶ୍ରମିକମାନଙ୍କ ମଧ୍ୟରେ ଆନ୍ଦୋଳନ ଦାନା ବାନ୍ଧିବାରେ ଲାଗିଛି। ଏହି ସିମେଣ୍ଟ କାରଖାନାରେ ରାଜ୍ୟ ବାହାର ଲୋକଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି। ସେମାନଙ୍କ ନିଯୁକ୍ତିକୁ ନିୟମିତ କରାଯାଇ ଉଚ୍ଚ ହାରରେ ଦରମା ପ୍ରଦାନ କରାଯାଉଥିବାବେଳେ ଜମିହରା ଓ ପ୍ରଭାବିତ ଲୋକଙ୍କୁ ଶ୍ରମିକ ଭଳି ଖଟାଯାଉଛି। ଶ୍ରମିକମାନଙ୍କୁ ଦିନ ଓ ରାତି ସାରା କାମ କରାଯାଉଥିବାବେଳେ ସେହି ଅନୁଯାୟୀ ପ୍ରାପ୍ୟ ମିିିିିଳୁନାହଁ। ଇମାମି ସିମେଣ୍ଟ ଉତ୍ପାଦନକ୍ଷମ ହେବା ପରେ ଗତ ପ୍ରାୟ ୨ ବର୍ଷ ହେବ ଏହା ବିକ୍ରି ହୋଇ ସାରିଛି। କେନ୍ଦ୍ର ସରକାରଙ୍କ ଜଣେ ପ୍ରଭାବଶାଳୀ ନେତାଙ୍କ ସମ୍ପର୍କୀୟ ଏହି କାରଖାନାକୁ କିଣିଥିବା କୁହାଯାଉଛି। ତେଣୁ ଯେତେ ଆନ୍ଦୋଳନ, ଦାବି ହେଉଥିଲେ ହେଁ ଶ୍ରମିକ ଓ କର୍ମଚାରୀମାନଙ୍କ ଦୁଃଖ କେହି ଶୁଣୁନାହାନ୍ତି। ପାରିପାର୍ଶ୍ୱିକ ଅଞ୍ଚଳର ଉନ୍ନୟନ କ୍ଷେତ୍ରରେ ମଧ୍ୟ ଆଶାନୁରୂପ ପଦକ୍ଷେପ ନିଆଯାଇନାହିଁ। ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଆଦି ବ୍ୟବସ୍ଥା କ୍ଷେତ୍ରରେ କମ୍ପାନୀ ଯେତିକି ପଦକ୍ଷେପ ନେଇଛି ସେଥିରେ ପ୍ରଭାବିତ ଅଞ୍ଚଳବାସୀ ଆଦୌ ସନ୍ତୁଷ୍ଟ ନୁହନ୍ତି। ଯାନବାହନ ଚଳାଚଳ ସାଙ୍ଗକୁ ସିମେଣ୍ଟଗୁଣ୍ଡ ଓ ଧୂଆଁ ଜନିତ ପ୍ରଦୂଷଣରେ ଲୋକେ ଅତିଷ୍ଠ ହେଉଛନ୍ତି। ଜମି କ୍ଷତିପୂରଣ ହାରକୁ ନେଇ ମଧ୍ୟ ଅସନ୍ତୋଷ ଲାଗି ରହିଛି। ପ୍ରକଳ୍ପର ଜନଶୁଣାଣି ସମୟରେ ଏସବୁ ସମସ୍ୟା ଲୋକେ ଉପସ୍ଥାପନ କରିଥିଲେ ହେଁ ସେ ସବୁର ପ୍ରତିଶ୍ରୁତି ପରେ ବି ସମାଧାନ ହୋଇନାହିଁ। ଜିଲା ପ୍ରଶାସନ ଓ ଜନପ୍ରତିନିଧି ମଧ୍ୟ ଲୋକଙ୍କ ସମସ୍ୟାକୁ ଅଣଦେଖା କରି ଚାଲିଛନ୍ତି। ଏ ସଂକ୍ରାନ୍ତରେ ନୁଭୋକୋ କମ୍ପାନୀର ମାନବ ସମ୍ବଳ ଅଧିକାରୀ ଦିଲୀପ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଶ୍ରମିକମାନଙ୍କୁ ଧମକ ଚମକ ଦେବା ମିଛ କଥା। ସେମାନଙ୍କ ଦାବିଗୁଡ଼ିକ ଉପରେ ଆଲୋଚନା କରାଯାଇ ବିହିତ ପଦକ୍ଷେପ ନେବାକୁ ଉଦ୍ୟମ କରାଯାଉଛି।

Share