ଚେଚେନ ସୈନ୍ୟ ନିଜ ଆହତ ସାଥୀଙ୍କୁ ଗୁଳି କରି କରୁଛନ୍ତି ହତ୍ୟା, କାଚ କାରଖାନାରେ ଯାତନା ଗୃହ…

କ୍ୱିଭ୍‌, ୨।୫ : ରୁଷିଆ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ଚେଚେନ ସୈନ୍ୟମାନଙ୍କ ବର୍ବରତା ସମ୍ପର୍କରେ ଖବର ମିଳିଛି। ସେମାନେ ନିଜ ଆହତ ସାଥୀ ସୈନ୍ୟଙ୍କୁ ଗୁଳି କରି ହତ୍ୟା କରୁଛନ୍ତି। ବୁଚାରେ ଏଭଳି ଘଟଣା ଘଟୁଥିବା କେତେକ ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି। ପ୍ରତ୍ୟକ୍ଷଦର୍ଶୀମାନଙ୍କ କହିବାନୁସାରେ, ୟୁକ୍ରେନ୍‌ର ବୁଚାର ଫିଲ୍ଡ ହସ୍ପିଟାଲରେ ଚେଚେନ୍ୟା ଯୋଦ୍ଧାମାନେ ସେମାନଙ୍କ ଆହତ ସାଥୀମାନଙ୍କୁ ହତ୍ୟା କରୁଛନ୍ତି। ଅପରପକ୍ଷରେ, ଇଜିୟମ ନିକଟରେ ୩୦ ଗାଡି ଉପରେ ୟୁକ୍ରେନର ଆକ୍ରମଣରେ ରୁଷିର ନବମ ବରିଷ୍ଠ ଅଧିକାରୀ ମେଜର ଜେନେରାଲ ଆଣ୍ଟୋନ ସାଇମୋନୋଭଙ୍କ ମୃତ୍ୟୁ ଘଟିଛି।

ମାନବିକ ଅଧିକାର ଲୋକପାଳ କହିଛନ୍ତି ଯେ ଚେଚେନ ଯୋଦ୍ଧାମାନେ ୟାବଲୋନସ୍କା ଛକରେ ଏକ କାଚ କାରଖାନାରେ ଏକ ଯାତନା ଗୃହ ନିର୍ମାଣ କରିଛନ୍ତି। ଏଠାରେ ୟୁକ୍ରେନ୍‌ ଲୋକଙ୍କୁ ନିର୍ଯାତନା ଦିଆଯାଉଛି। ୟୁକ୍ରେନର ଟେରିଟୋରିଆଲ ଡିଫେନ୍ସ ଫୋର୍ସର ଡେପୁଟି କମାଣ୍ଡର ଆର୍ଟେମ ହୁରିନ କହିଛନ୍ତି ଯେ ବୁଚାର ଉତ୍ତର-ପଶ୍ଚିମ ଅଞ୍ଚଳରେ ଥିବା ଫିଲ୍ଡ ହସ୍ପିଟାଲରେ ଚେଚେନ ଯୋଦ୍ଧାମାନେ ସେମାନଙ୍କର ରୁଷୀୟ ଆହତ ସାଥୀମାନଙ୍କୁ ଗୁଳି କରି ହତ୍ୟା କରିଛନ୍ତି।

ହୁରିନ ରିପୋର୍ଟ କରିଛନ୍ତି ଯେ ଚେଚେନ ଯୋଦ୍ଧାମାନେ ଆହତ ସାଥୀଙ୍କୁ ଚିକିତ୍ସା ଲାଗି ଫିଲ୍ଡ ହସ୍ପିଟାଲକୁ ଆଣିବା ପରିବର୍ତ୍ତେ ଗୁଳି କରି ହତ୍ୟା କରୁଛନ୍ତି। ହୁରିନ କହିଛନ୍ତି ଯେ ଚେଚେନ ଏବଂ ରୁଷିଆର ସୈନିକମାନେ ୟୁକ୍ରେନୀୟମାନଙ୍କୁ ନିର୍ଯାତନା ଦେଉଛନ୍ତି।

Share