ନୂଆଦିଲ୍ଲୀ,୬ ।୧୧: ଗୋଟିଏ ପଟେ ହିମାଚଳ ପ୍ରଦେଶ, ଗୁଜରାଟ ଓ ଦିଲ୍ଲୀ ନଗର ନିଗମର ନିର୍ବାଚନ ତାରିଖ ଘୋଷଣା ହୋଇସାରିଥିବା ବେଳେ ସମସ୍ତ ରାଜନୈତିକ ଦଳ ବିଜୟ ଲକ୍ଷ୍ୟ ରଖି ପ୍ରଚାର କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି । ଏପଟେ ୬ ରାଜ୍ୟର ୭ ବିଧାନସଭା ଆସନ ଲାଗି ହୋଇଥିବା ଉପନିର୍ବାଚନର ଫଳାଫଳ ଆଜି ଅର୍ଥାତ୍ ରବିବାର ଘୋଷଣା ହେବାକୁ ଯାଉଛି । ଭାରତୀୟ ଜନତା ପାର୍ଟି(ଭାଜପା), କଂଗ୍ରେସ, ସମାଜବାଦୀ ପାର୍ଟି ଓ ଅନ୍ୟ ରାଜନୈତିକ ଦଳର ନଜର ଏହି ଫଳାଫଳ ଉପରେ ରହିଛି । ଏହି ଫଳାଫଳ ହିମାଚଳ ପ୍ରଦେଶ ଓ ଗୁଜରାଟ ନିର୍ବାଚନ ଉପରେ ପ୍ରଭାବ ପକାଇବ ବୋଲି କୁହାଯାଉଛି । ଏହା ତ ସମୟ କହିବ । ହେଲେ ଏହି ଫଳାଫଳ ପରେ ସମସ୍ତ ରାଜନୈତିକ ଦଳ ଆଗକୁ ଆକଳନ କରିବେ ନିଶ୍ଚୟ ।
ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ୬ ରାଜ୍ୟର ୭ ବିଧାନସଭା ଆସନ ଲାଗି ଉପନିର୍ବାଚନ ୩ ନଭେମ୍ବର ୨୦୨୨ରେ ହୋଇଥିଲା । ଏଥିରେ ବିହାରର ୨ ଓ ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ହରିୟାଣା, ତେଲେଙ୍ଗାନା, ଓଡ଼ିଶାର ଗୋଟିଏ ଗୋଟିଏ ଆସନ ରହିଛି । ଭିନ୍ନ ଭିନ୍ନ କାରଣରୁ ଏସବୁ ଆସନ ଖାଲିଥିଲା ସେଥିପାଇଁ ଏଠାରେ ଉପ ନିର୍ବାଚନ କରିବାକୁ ପଡିଥିଲା । ବିହାରର ମୋକାମା ଓ ଗୋପଳଗଞ୍ଜ ବିଧାନସଭା ଆସନ, ମହାରାଷ୍ଟ୍ରର ଅନ୍ଦେରୀ ଇଷ୍ଟ, ଉତ୍ତର ପ୍ରଦେଶର ଗୋଲା ଗୋକରନାଥ, ହରିୟାଣାର ଆଦମପୁର, ତେଲେଙ୍ଗାନାର ମୁନୁଗୋଡେ ଓ ଓଡ଼ିଶାର ଧାମନଗର ବିଧାନସଭା ଆସନ ଲାଗି ଉପ ନିର୍ବାଚନ ହୋଇଛି, ଯାହର ଫଳାଫଳ ରବିବାର ଆସିବ ।