କଣ୍ଟିପାଳ,୨୨ା୭ (ସୁଶାନ୍ତ କୁମାର ସାହୁ ): ମରୁଡି ସମସ୍ୟାକୁ ଦୂର ପାଇଁ ଚାଷ ଜମିରେ ଜଳ ସେଚନ ପାଇଁ ବିଭିନ୍ନ ସୁବିଧା କରାଯାଉଛି। କେଉଁଠି କେନାଲ ସାହାଯ୍ୟରେ ତ କେଉଁଠି ଲିଫ୍ଟ ପଏଣ୍ଟ କରି ଛୋଟ ଛୋଟ ନାଳରେ ଚେକ ଡ୍ୟାମ ମାଧ୍ୟମରେ ଜଳସେଚନ କରାଯାଉଛି। ମାତ୍ର ଅନେକ ସ୍ଥାନରେ ନିମ୍ନମାନର କାମ ଯୋଗୁ ସୁବିଧା ଚାଷୀ ପାଇପାରୁନାହାନ୍ତି। ଏଭଳି ଏକ ଅଭିଯୋଗ ଆସିଛି କେନ୍ଦୁଝର ଜିଲା କଣ୍ଟିପାଲ ପଞ୍ଚାୟତରୁ। ପଞ୍ଚାୟତ ଅନ୍ତର୍ଗତ ଅଁଳାପାଳ ଗ୍ରାମରେ ଚାଷ ଜମିକୁ ଜଳ ସେଚନ ପାଇଁ ୧୦ ଲକ୍ଷ ଟଙ୍କା ବ୍ୟୟରେ ୧୦ ଦିନ ପୂର୍ବେ ଏକ ଚେକ୍ ଡ୍ୟାମ ନିର୍ମାଣ ହୋଇଥିଲା। ମାତ୍ର ନିମ୍ନମାନର କାର୍ଯ୍ୟ ଯୋଗୁ ଏହା ଭାଙ୍ଗିଯାଇଛି। ଏହାର ତଦନ୍ତ କରିବା ସହ ପୁନର୍ବାର ଉନ୍ନତମାନର କାମ କରିବା ପାଇଁ ସ୍ଥାନୀୟ ଚାଷୀ ଦାବି କରିଛନ୍ତି। ଏ ନେଇ କନିଷ୍ଠ ଯନ୍ତ୍ରୀ ଜିତ ମୋହନ ଟୁଡ଼ୁ କହିଛନ୍ତି, ଏହା ଜିଓଟ୍ୟାଗ୍ ହୋଇନି କି ଏଠାରେ ଫଳକ ଲାଗିନି। ଏ ପର୍ଯ୍ୟନ୍ତ ଫାଇଲ ମଧ୍ୟ ହୋଇନାହିଁ। କାର୍ଯ୍ୟ କିପରି ହେଲା ସେ କହିପାରିବେ ନାହିଁ ବୋଲି କହିଥିଲେ।