ଭୁବନେଶ୍ୱର,୫।୩(ବ୍ୟୁରୋ): ଓଡ଼ିଶା ସମେତ ବାହାର ରାଜ୍ୟରେ ୧୭ରୁ ଅଧିକ ମହିଳାଙ୍କୁ ବିବାହ କରି ପ୍ରତାରଣା ପରେ ଲୁଟିବା ସହ ବିଭିନ୍ନ ଠକେଇ ମାମଲାରେ ଜେଲ ଯାଇଥିବା ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ବାଇଁ ଶୁକ୍ରବାର ତୃତୀୟ ପର୍ଯ୍ୟାୟରେ ୫ଦିନିଆ ରିମାଣ୍ଡରେ ଆସିଛନ୍ତି। ମହିଳା ଥାନା ପୋଲିସ ତାଙ୍କୁ ମାରାଥନ୍ ଜେରା ଆରମ୍ଭ କରିଛି। ପୂର୍ବରୁ ୨ଟି ପର୍ଯ୍ୟାୟରେ ମହିଳା ଥାନା ପୋଲିସ ରମେଶଙ୍କୁ ୮ଦିନ ରିମାଣ୍ଡରେ ଆଣି ବିଭିନ୍ନ ତଥ୍ୟ ହାସଲ କରିଥିଲା। ଗୁଆହାଟୀର ଡାକ୍ତରାଣୀ ସ୍ତ୍ରୀଙ୍କୁ ୨୩ ଲକ୍ଷ ଟଙ୍କା ଠକିବା ମାମଲାରେ ରମେଶଙ୍କୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରାଯାଇଥିଲା। କୋର୍ଟ ଉକ୍ତ ଆବେଦନକୁ ଗ୍ରହଣ କରିବା ସହ ୫ ଦିନିଆ ରିମାଣ୍ଡ ଅନୁମତି ଦେଇଥିଲେ। ମହିଳା ଥାନା ପୋଲିସ ଓ ଆଣ୍ଟି ଫ୍ରଡ୍ ସେଲ୍ ରମେଶଙ୍କ ମାମଲାଗୁଡ଼ିକର ବିଭିନ୍ନ ଦିଗକୁ ନେଇ ଅଧିକ ଖୋଳତାଡ଼ ଚଳାଇଛନ୍ତି। ତଦନ୍ତ ପାଇଁ ଗଠିତ ଟିମ୍ ରମେଶଙ୍କୁ ପଚରାଉଚରା କରିବାକୁ ପୂର୍ବରୁ ପ୍ରଶ୍ନ ତାଲିକା ପ୍ରସ୍ତୁତ କରି ରଖିଥିଲା। ସେହି ଅନୁସାରେ ଜେରା ଆରମ୍ଭ ହୋଇଥିବା ଜଣାପଡିଛି। ରିମାଣ୍ଡର ପ୍ରଥମ ଦିନରେ ପୋଲିସ ରମେଶଙ୍କ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିଛି। କେଉଁ ଆକାଉଣ୍ଟରେ କେତେ ଟଙ୍କା ରହିଛି ସେନେଇ ତଥ୍ୟ ହାସଲ କରିଛି। ମହିଳା ଥାନା ଅଧିକାରିଣୀ ସନ୍ତୋଷିନୀ କହିଛନ୍ତି, ଏହି ତୃତୀୟ ପର୍ଯ୍ୟାୟ ରିମାଣ୍ଡର ବାକି ଥିବା ୪ ଦିନରେ ବିଭିନ୍ନ ଦିଗକୁ ନେଇ ପ୍ରଶ୍ନ ପଚରାଯିବ। ତେବେ ଫେରାର ଥିବା ଭିଣୋଇ ଗଣେଶ୍ୱର ବେହେରା ଓ ଡ୍ରାଇଭର ପପୁଙ୍କୁ ଖୋଜାଚାଲିଛି। ରମେଶ କହୁଥିବା କଥାର ସତ୍ୟତା ଜାଣିବା ସହ ଅଧିକ ତଥ୍ୟ ହାସଲ ପାଇଁ ତାଙ୍କର ଲାଏ ଡିଟେକ୍ସନ୍ ଟେଷ୍ଟ କରିବାକୁ କୋର୍ଟରେ ଆବେଦନ କରାଯିବ ବୋଲି ଡିସିପି ଉମାଶଙ୍କର ଦାଶ କହିଛନ୍ତି।