Categories: ଜାତୀୟ

୭୦ ବର୍ଷ ପରେ ଚିତା ଫେରିଲା

ଶିଓପୁର,୧୮ା୯: ସାତ ଦଶନ୍ଧି ପରେ ଭାରତରେ ଦେଖିବାକୁ ମିଳିଛି ଚିତା। ପ୍ରାୟ ୮ ହଜାର କିଲୋମିଟର ଯାତ୍ରା କରି ଆଫ୍ରିକୀୟ ଦେଶ ନାମିବ୍ୟାରୁ ସ୍ବତନ୍ତ୍ର ବିମାନ ଯୋଗେ ୮ ଚିତା ଶନିବାର ମଧ୍ୟପ୍ରଦେଶରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନ ଅବସରରେ ୩ ଚିତା ବାଘକୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ଭିତରକୁ ଛାଡ଼ିଛନ୍ତି। ମୋଦି ଏହାକୁ ଐତିହାସିକ ଦିନ ଆଖ୍ୟା ଦେଇଛନ୍ତି। ବିମାନ ଦ୍ୱାରା ଚିତାଙ୍କ ଆନ୍ତଃମହାଦେଶୀୟ ସ୍ଥାନାନ୍ତର ପ୍ରଥମ। ଭାରତ ଆସିଥିବା ୫ ମାଈ ଓ ୩ ଅଣ୍ଡିରା ଚିତା ପ୍ରଥମେ ଏନ୍‌କ୍ଲୋଜର ଭିତରେ ୩୦ ଦିନ କ୍ୱାରାଣ୍ଟାଇନରେ ରହିବେ। ପରେ ସେମାନଙ୍କୁ ଜଙ୍ଗଲ ମଧ୍ୟକୁ ଛଡ଼ାଯିବ।

ଜିଲା ସ୍ଥିତ କୁନୋ ନ୍ୟାଶନାଲ ପାର୍କକୁ ଆସିଥିବା ଚିତାଗୁଡ଼ିକର ବୟସ ୩୦ରୁ ୬୬ ମାସ ହେବ। ଶୁକ୍ରବାର ରାତିରେ ନାମିବ୍ୟାରୁ ସ୍ବତନ୍ତ୍ର ଜୁମ୍ବୋ ବିମାନ ବି୭୪୭ ସେମାନଙ୍କୁ ଧରି ଭାରତ ବାହାରିଥିଲା। ପ୍ରାୟ ୧୧ ଘଣ୍ଟା ଧରି ଖାଲି ପେଟରେ ଚିତା ବିମାନଯାତ୍ରା କରିଥିଲେ। ପୂର୍ବାହ୍ନ ସାଢ଼େ ୧୧ଟାରେ ପ୍ରଧାନମନ୍ତ୍ରୀ ମୋଦି ଡାଏସ୍‌ରୁ ଲିଭର ଚଲାଇବା ପରେ ପିଞ୍ଜରା ଭିତରେ ଥିବା ଚିତା ଏନ୍‌କ୍ଲୋଜର ମଧ୍ୟକୁ ଡିଆଁ ମାରିଥିଲେ। ଏହି ସମୟରେ ମୋଦି କ୍ୟାମେରାରେ ଫଟୋ ଉଠାଇଥିଲେ। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ମଧ୍ୟ ଉପସ୍ଥିତ ଥିଲେ। ଏନ୍‌କ୍ଲୋଜରକୁ ପଶିବା ବେଳେ ଚିତାଗୁଡ଼ିକ ନୂଆ ପରିବେଶକୁ କିଛିକ୍ଷଣ ଆଶ୍ଚର୍ଯ୍ୟଜନକ ଭାବେ ଦେଖିଥିଲେ। ହେଲେ ପରେ ଏନ୍‌କ୍ଲୋଜର ମଧ୍ୟରେ ବୁଲିବା ଆରମ୍ଭ କରିଦେଇଥିଲେ। ୨୦୦୯ରେ ଉପା ସରକାର ଅମଳରେ ଚିତା ପ୍ରୋଜେକ୍ଟ ଆରମ୍ଭ ହୋଇଥିଲା।

ପ୍ରଧାନମନ୍ତ୍ରୀ କହିଥିଲେ, ଏହି ‘ଅମୃତ କାଳ’ରେ ଦେଶ ନୂଆ ଶକ୍ତି ଓ ଉତ୍ସାହର ସହ ଚିତାଙ୍କ ସଂଖ୍ୟା ବଢ଼ାଇବା ଯୋଜନା ଆରମ୍ଭ କରିଛି। ଏଥିପାଇଁ ସେ ନାମିବ୍ୟା ସରକାରଙ୍କୁ ଧନ୍ୟବାଦ ଦେଇଥିଲେ। ୧୯୪୭ରେ ଭାରତର ଜଙ୍ଗଲରେ ୩ ଚିତା ଥିଲେ। ହେଲେ ଦୁର୍ଭାଗ୍ୟବଶତଃ ସେମାନଙ୍କୁ ଶିକାର କରାଯାଇଥିଲା ବୋଲି ମୋଦି ପ୍ରକାଶ କରିଥିଲେ। ଭାରତରେ ଚିତାବଂଶର ପୁନରୁଦ୍ଧାର ଦିଗରେ ପୂର୍ବ ସରକାର କୌଣସି ପଦକ୍ଷେପ ନେଇ ନ ଥିଲେ ବୋଲି ମୋଦି କହିଥିଲେ। ଶେଷ ଚିତାର କୋରିଆ ଜିଲା (ଏବେର ଛତିଶଗଡ଼)ରେ ମୃତ୍ୟୁ ଘଟିଥିଲା। ୧୯୫୨ରେ ତାହାକୁ ଦେଶରୁ ବିଲୁପ୍ତ ପ୍ରାଣୀ ଘୋଷଣା କରାଯାଇଥିଲା। ପ୍ରକୃତି ଓ ପରିବେଶ ସୁରକ୍ଷିତ ରହିଲେ ଆମ ଭବିଷ୍ୟତ ସୁରକ୍ଷିତ ରହିପାରିବ। ଅନ୍ତର୍ଜାତୀୟ ଗାଇଡ୍‌ଲାଇନ୍‌ ଅନୁସାରେ ଚିତାଙ୍କ ସଂଖ୍ୟାବୃଦ୍ଧି ପାଇଁ ଭାରତ ପଦକ୍ଷେପ ନେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

Share