Categories: ଖେଳ

ଶେଫ୍‌ଙ୍କ ଅନଧିକାର ପ୍ରବେଶ: ଫିଫାର ସମୀକ୍ଷା

ଜୁରିଚ୍‌, ୨୪।୧୨(ଏପି): କାତାର ବିଶ୍ୱକପ୍‌ ବେଳେ ଜଣେ ଶେଫ୍‌ (ରୋଷେୟା)ଙ୍କ ‘ଅନଧିକାର ପ୍ରବେଶ’କୁ ନେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଫିଫା (ଫେଡେରେଶନ ଅଫ୍‌ ଇଣ୍ଟରନ୍ୟାଶନାଲ ଫୁଟ୍‌ବଲ ଆସୋସିଏଶନ୍ସ)। ଶେଫ୍‌ ଜଣକ ସଲ୍‌ଟ ବେ’ ନାମରେ ପରିଚିତ। ଜଣେ ସେଲିବ୍ରିଟି ଭଳି ସେ ସମସ୍ତ ସୁବିଧା ସୁଯୋଗ ପାଉଥିଲେ। ପଡ଼ିଆରେ ସେ ସ୍ବର୍ଣ୍ଣ ଟ୍ରଫିକୁ ଧରିଥିଲେ। ତାଙ୍କୁ ଫିଫା ସଭାପତି ଜିଆନି ଇନ୍‌ଫାଣ୍ଟିନୋଙ୍କ ସହ ବହୁ ସମୟ ଦେଖିବାକୁ ମିଳୁଥିଲା। ଆର୍ଜେଣ୍ଟିନା ଖେଳାଳିଙ୍କ ସହ ମିଶୁଥିଲେ। ରବିବାର ଫ୍ରାନ୍ସ ବିପକ୍ଷ ଫାଇନାଲରେ ବିଜୟ ପରେ ସେ ଖେଳାଳିମାନଙ୍କ ସହିତ ଫଟୋ ଉଠାଇଥିଲେ। ଫିଫା କହିଛି ବିଶ୍ୱକପ୍‌ ଟ୍ରଫି ଦୁର୍ମୂଲ୍ୟ ଆଇକନ୍‌, ଯାହାକୁ ଖୁବ୍‌ ସୀମିତ ଲୋକ ସ୍ପର୍ଶ କରିପାରିବେ। ସେମାନଙ୍କ ମଧ୍ୟରେ ପୂର୍ବତନ ଫିଫା ବିଶ୍ୱକପ୍‌ ବିଜେତା ଏବଂ ରାଷ୍ଟ୍ରମୁଖ୍ୟ ଅନ୍ୟତମ। ଏକ ସମୀକ୍ଷା ପରେ ଡିସେମ୍ବର ୧୮ରେ ଲୁସେଲ ଷ୍ଟାଡିୟମରେ ଉଦ୍‌ଯାପନୀ ଉତ୍ସବ ଚାଲିଥିବା ବେଳେ ଏହି ଶେଫ ଜଣକ କିପରି ପଡ଼ିଆ ଭିତରେ ପ୍ରବେଶ କରିପାରିଲେ ତାହା ସନ୍ଧାନ ନିଆଯାଉଛି। ଏନେଇ ଆଭ୍ୟନ୍ତରୀଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଫିଫା କହିଛି। ଶେଫ୍‌ ଜଣଙ୍କର ଦୋହାରେ ଏକ ରେସ୍ତୋରଁା ରହିଛି। ଏହାର ସୁଯୋଗରେ ସେ ବିଶ୍ୱକପ୍‌ ବେଳେ ଫିଫାର ଅତିଥି ଓ ଭିଆଇପିମାନଙ୍କ ସଂସ୍ପର୍ଶରେ ଆସି ପାରିଥିଲେ। ସେମାନଙ୍କ ସହ ଉଠାଇଥିବା ଫଟୋ ଏବଂ ଭିଡିଓ କ୍ଲିପ୍‌ଗୁଡ଼ିକୁ ସେ ସୋସିଆଲ ମିଡିଆରେ ପୋଷ୍ଟ କରୁଥିଲେ। ଫାଇନାଲ ମ୍ୟାଚ ୩-୩ରେ ରୋମାଞ୍ଚକ ଡ୍ର’ ପରେ ଆର୍ଜେଣ୍ଟିନା ପେନାଲ୍ଟି ଶୁଟଆଉଟରେ ବିଜୟ ଲାଭ କରିବା ପରେ ଶେଫ୍‌ ଜଣକ ପଡ଼ିଆରେ ଲିଓନେଲ ମେସିଙ୍କ ହାତକୁ ଟାଣି ଧରି ଭିଡିଓ ଶୁଟ୍‌କରି ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆର୍ଜେଣ୍ଟିନା ଫୁଟ୍‌ବଲ ତାରକା ଏଥିରେ ପ୍ରଥମେ ବିରକ୍ତି ପ୍ରକାଶ କରିଥିଲେ କିନ୍ତୁ ପରେ ତାଙ୍କ ସହିତ ଫଟୋ ଉତ୍ତୋଳନ କରିଥିଲେ। ଏହି ଫିଲ୍ମ କ୍ଲିପ୍‌କୁ ଶେଫ୍‌ ଜଣକ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଥିଲେ।

Share