କେମିକାଲ କକ୍‌ଟେଲ୍‌ ଦେବ ନବଯୌବନ

ଓ୍ବାଶିଂଟନ୍‌,୧୭।୭ : ଚିରଦିନ ପର୍ଯ୍ୟନ୍ତ ମଣିଷ ଯୁବା ଅବସ୍ଥାରେ ରହିବା କେବେ ବି ସମ୍ଭବ ନୁହେଁ। ନିଜ ପ୍ରକୃତ ବୟସଠାରୁ କମ୍‌ ବୟସ୍କ ଦେଖାଯିବା ପାଇଁ ଆଜିକାଲି ନାନା ପ୍ରକାର ପ୍ରସାଧନ ସାମଗ୍ରୀ ବଜାରରେ ଉପଲବ୍ଧ। କିନ୍ତୁ ଦୀର୍ଘଦିନ ପର୍ଯ୍ୟନ୍ତ ଯୁବା ଦେଖାଯିବା ବାସ୍ତବରେ ଅସମ୍ଭବ ନୁହେଁ ବୋଲି ଆମେରିକାର ହାର୍ଭାର୍ଡ ମେଡିକାଲ ସ୍କୁଲର ବୈଜ୍ଞାନିକମାନେ ଦାବି କରିଛନ୍ତି। ପୁଣିଥରେ ଯୌବନ ଫେରାଇ ଆଣିବା ପାଇଁ ବୈଜ୍ଞାନିକମାନେ ଏକ କେମିକାଲ କକ୍‌ଟେଲ୍‌ ପ୍ରସ୍ତୁତ କରିଛନ୍ତି। ଏ ସଂକ୍ରାନ୍ତୀୟ ଅଧ୍ୟୟନ ରିପୋର୍ଟ ‘ମେଡିକାଲ ଜର୍ନାଲ୍‌ ଏଜିଙ୍ଗ୍‌’ରେ ପ୍ରକାଶ ପାଇଛି।
୫ରୁ ୭ଟି କେମିକାଲର ମିଶ୍ରଣରେ ବୈଜ୍ଞାନିକମାନେ ଏହି କକ୍‌ଟେଲ୍‌ ପ୍ରସ୍ତୁତ କରିଛନ୍ତି। ରିପୋର୍ଟ ମୁତାବକ ମାନସିକ ରୋଗ, ବାତ ଆଦି ରୋଗକୁ ଭଲ କରିବା ପାଇଁ ବ୍ୟବହାର କରାଯାଉଥିବା ଡ୍ରଗ୍‌ ବା କେମିକାଲରୁ ଏହା ତିଆରି। ତେବେ ଏହି ବିଶେଷ ପ୍ରକାର କକ୍‌ଟେଲ୍‌ରେ ବ୍ୟବହାର କରାଯାଇଥିବା ମେଡିକେଶନ୍‌ଗୁଡ଼ିକ ହେଲା, ଭାଲ୍‌ପ୍ରୋଭଇକ୍‌ ଏସିଡ୍‌, ପ୍ରାମିପେକ୍ସୋଲ ଇତ୍ୟାଦି। ମଣିଷ ଦେହରେ ପୁଣିଥରେ ଯୌବନ ଫେରାଇ ଆଣିବା ଲାଗି କେଉଁ କେଉଁ କଣିକାର ଉପଯୋଗିତା ଆବଶ୍ୟକ ସେ ନେଇ ପାଖାପାଖି ୩ ବର୍ଷ ଧରି ବୈଜ୍ଞାନିକମାନେ ଅଧ୍ୟୟନ କରିଥିବା କହିଛନ୍ତି। ହାର୍ଭାର୍ଡ ବୈଜ୍ଞାନିକ ଡେଭିଡ୍‌ ସିନ୍‌କ୍ଲେର ଷ୍ଟଡି ରିପୋର୍ଟ ସମ୍ବନ୍ଧରେ କିଛି ତଥ୍ୟ ଟୁଇଟରରେ ଶେୟାର କରିଛନ୍ତି, ଯେଉଁଥିରେ ୟୁଜର୍ସମାନେ ନିଜ ସକାରାତ୍ମକ ମତ ଦେଇଛନ୍ତି। ଜିନ୍‌ ଥେରାପି ଦ୍ୱାରା ଯୌବନ ଫେରିବ ବୋଲି ପୂର୍ବ ଅଧ୍ୟୟନରେ ବୈଜ୍ଞାନିକମାନେ ଦାବି କରିଥିଲେ। କିନ୍ତୁ ଏହି ଜଟିଳ ପ୍ରଣାଳୀ ଅପେକ୍ଷା କେମିକାଲ୍‌ କକ୍‌ଟେଲ୍‌ ଅଧିକ ଉପଯୋଗୀ ବୋଲି ବିଶେଷଜ୍ଞ କହିଛନ୍ତି।
କେମିକାଲ୍‌ କକ୍‌ଟେଲ୍‌ ନେଇ ମୂଷା ଏବଂ ମାଙ୍କଡ଼ଙ୍କଠାରେ କରାଯାଇଥିବା କ୍ଲିନିକାଲ ଟ୍ରାଏଲ୍‌ ସଫଳ ହୋଇଛି। ଏହି କକ୍‌ଟେଲ୍‌ ଶରୀର କୋଷିକାର ବୟସ କମାଇବା ଦ୍ୱାରା ଯୌବନ ପୁଣିଥରେ ଫେରିଆସୁଛି। ଏହା ପ୍ରୟୋଗ ହେବାର ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଶରୀରରେ ପାର୍ଥକ୍ୟ ପରିଲଖିତ ହେଉଥିବା କୁହାଯାଉଛି। ଚକ୍ଷୁ ଶିରା, ମସ୍ତିଷ୍କ କୋଷିକା, ଯକୃତ ଏବଂ ମାଂସପେଶୀରେ ମଧ୍ୟ ଏହାର ସକାରାତ୍ମକ ପ୍ରଭାବ ପଡ଼ିଥାଏ। ଜିନ୍‌ ଥେରାପୀ ଭଳି କେମିକାଲ କକ୍‌ଟେଲ ଦ୍ୱାରା ଲୋକଙ୍କ ନବଯୌବନ ଫେରିପାରିବ। ଏ ସଂକ୍ରାନ୍ତରେ ବୈଜ୍ଞାନିକଙ୍କ ଅଧ୍ୟୟନ ଜାରି ରହିଛି। ଆଗାମୀ ଦିନରେ ଯୌବନ ଫେରାଇ ପାରୁଥିବା କକ୍‌ଟେଲ ନେଇ ମଣିଷଙ୍କ ଉପରେ ଟ୍ରାଏଲ୍‌ କରାଯିବାର ଯୋଜନା ରହିଛି।

Share