Categories: ବାଣିଜ୍ୟ

ଚାଇନାରୁ କେମିକାଲ ଆମଦାନୀ କମିବ;ପ୍ରସ୍ତୁତ ହେଉଛି ୨୫ ହଜାର କୋଟିର ଯୋଜନା

ନୂଆଦିଲ୍ଲୀ,୧୯।୯: ଚାଇନାରୁ କେମିକାଲ ଆମଦାନୀ କମାଇବା ଲାଗି କେନ୍ଦ୍ର ସରକାର ଏବେ ଚିନ୍ତା କରୁଛନ୍ତି। ଏଥିଲାଗି ୨୫ ହଜାର କୋଟି ଟଙ୍କାର ଏକ ଯୋଜନା ପ୍ରସ୍ତୁତ ହେଉଥିବା ଜଣାପଡିଛି। ଏ କ୍ଷେତ୍ରରେ ଉତ୍ପାଦନ ସଂଯୋଗୀ ପ୍ରୋତ୍ସାହନ ବ୍ୟବସ୍ଥା ଆଣିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି। ଫାର୍ମା, କୀଟନାଶକ ଏବଂ ଅନ୍ୟ ଶିଳ୍ପ କ୍ଷେତ୍ରରେ ବ୍ୟବହାର ହେଉଥିବା କେମିକାଲ ଆମଦାନୀ କମାଇବା ସହ ସ୍ଥାନୀୟ ମାନୁଫାକଚରିଂକୁ ଉତ୍ସାହିତ କରିବା ଦିଗରେ ଯୋଜନା ଗ୍ରହଣ କରାଯିବ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ନିକଟରେ କେମିକାଲ୍ସ ବିଭାଗ ପକ୍ଷରୁ ଏ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ତାଲିକାରେ ପ୍ରାୟ ୭୫ କ୍ରିଟିକାଲ କେମିକାଲ ସାମିଲ କରାଇବା ନେଇ ଚିନ୍ତା କରାଯାଉଛି। ପ୍ରୋତ୍ସାହନ ଯୋଜନାରେ ପ୍ରଡକ୍ସନ ଭାଲ୍ୟୁର ୧୦% ରାଶି ପ୍ରଦାନ କରାଯିବାକୁ ଚିନ୍ତା କରାଯାଉଛି। ଆଗାମୀ ୫ ବର୍ଷରେ ଏଥି ଲାଗି ପ୍ରାୟ ୨୫ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ପ୍ରସ୍ତାବ ରହିଛି।
ସୀମାରେ ଭାରତର ୨୦ ଯବାନ ଶହୀଦ ହେବା ପରେ କେନ୍ଦ୍ର ସରକାର ଚାଇନା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ସପକ୍ଷରେ ରହିଛନ୍ତି। ଭାରତ ପ୍ରତିବର୍ଷ ୧.୫ ଲକ୍ଷ କୋଟି ଟଙ୍କାର କେମିକାଲ ଆମଦାନୀ କରୁଛି। ଏହାର ପ୍ରାୟ ୮୦ରୁ ୮୫% ଅଂଶ ଚାଇନାରୁ ଆସୁଥିବା ଅଧିକାରୀ କହିଛନ୍ତି। ଦେଶରେ ଫାର୍ମା ଏପିଆଇ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି। ଭାରତକୁ ଏ କ୍ଷେତ୍ରରେ ସ୍ବୟଂସମ୍ପୂର୍ଣ୍ଣ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ମୋଟ ୩୨୭ ସାମଗ୍ରୀ ମଧ୍ୟ ଚାଇନାର ଅଂଶ ପ୍ରାୟ ୩ ଭାଗ ରହିଛି। ଏହି ସାମଗ୍ରୀ ଚାଇନାରୁ ନ ଆଣିବ ବିକଳ୍ପ ଖୋଜାଯାଉଛି। ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଇବା ଲାଗି କେମିକାଲ୍ସ ବିଭାଗ ଏକ କମିଟି ଗଠନ କରିଛି। କମିଟି ଏହାର ପ୍ରସ୍ତାବକୁ ଚୂଡାନ୍ତ କରିଛି। ପ୍ରଥମେ ଏହାକୁ ବ୍ୟୟ ବିଭାଗକୁ ପ୍ରଦାନ କରାଯିବ। ପରେ କ୍ୟାବିନେଟ ମଞ୍ଜୁରୀ ଲାଗି ପଠାଯିବ ବୋଲି ଅଧିକାରୀ ମତ ପ୍ରକାଶ କରିଛନ୍ତି।

Share