ଧରିତ୍ରୀରେ ଖବର ପ୍ରକାଶ ପରେ ବଦଳିଲା ଛେନାପୋଡ଼ ତଥ୍ୟ, ଆରିସା ପିଠା ଗାଏବ

ଭୁବନେଶ୍ୱର,୧୨ା୭(ଶର୍ମିଷ୍ଠା ପାଣିଗ୍ରାହୀ): ଖାଦ୍ୟ ଡେଲିଭରି ଆପ୍‌ ଜୋମାଟୋରେ ଛେନାପୋଡ଼ ଓ ଆରିସା ପିଠା ବେଙ୍ଗଲର ବୋଲି ଲେଖାଯାଇଥିଲା। ଏହା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରାଜ୍ୟ ବ୍ୟାପୀ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏନେଇ ଗତ ମଙ୍ଗଳବାର ୯ ତାରିଖ ଦୈନିକ ‘ଧରିତ୍ରୀ’ରେ ଖବର ପ୍ରକାଶିତ ହୋଇଥିଲା। ଏହାପରେ ଜୋମାଟୋ ଉକ୍ତ ତଥ୍ୟରେ ପରିବର୍ତ୍ତନ ଆଣିଛି। ପୂର୍ବରୁ ଛେନାପୋଡ଼ ବେଙ୍ଗଲର ଏକ ପାରମ୍ପରିକ ଖାଦ୍ୟ ଲେଖାଯାଇଥିବାବେଳେ ଏବେ ଏହା ଓଡ଼ିଶାର ଏକ ପାରମ୍ପରିକ ଖାଦ୍ୟ ବୋଲି ଉଲ୍ଲେଖ କରାଯାଇଛି। ମାତ୍ର ପିଠା ବିଭାଗରେ ରହିଥିବା ଆରିସା ପିଠା ସମ୍ପର୍କିତ ତଥ୍ୟରେ ପରିବର୍ତ୍ତନ କରା ନ ଯାଇ ଉକ୍ତ ମେନ୍ୟୁକୁ ସମ୍ପୂର୍ଣ୍ଣ ଭାବେ ଉଠାଇ ନିଆଯାଇଛି। ଏହା ଜାଣିବା ପରେ ସୋସିଆଲ ମିଡିଆରେ ଅନେକ ୟୁଜର୍ସ ଛେନାପୋଡ଼ର ତଥ୍ୟ ବଦଳିବା ନେଇ ଖୁସିବ୍ୟକ୍ତ କରିଛନ୍ତି। କିନ୍ତୁ ପିଠା ବିଭାଗରେ ଆରିସା ପିଠା କାହିଁକି ଆସୁନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ପ୍ରଫେସର ଡ. ଭୁବନାନନ୍ଦ ଅଧିକାରୀ ଜୋମାଟୋର ଏହି ଭୁଲ୍‌ ତଥ୍ୟକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ପରେ ଏହା ଭାଇରାଲ ହୋଇଥିଲା। ବହୁ ୟୁଜର୍ସ ନିଜ କମେଣ୍ଟରେ ‘ବଏକଟ୍‌ ଜୋମାଟୋ’ ଲେଖିବା ସହ ତୁରନ୍ତ ତ୍ରୁଟି ସୁଧାରିବାକୁ ଦାବି କରିଥିଲେ।

Share