ପଡୋଶୀ ଝିଅଙ୍କ ଜୀବନ ବଞ୍ଚାଇବା ପାଇଁ ୫ ଲକ୍ଷ ଟଙ୍କା ଯୋଗାଡ କଲେ କନଷ୍ଟେବଳ

ଚେନ୍ନାଇ,୧୩।୭: ତାମିଲନାଡୁର ଚେନ୍ନାଇରେ ଜଣେ ହେଡ୍‌ କନଷ୍ଟେବଳ ନିଜ ମାନବିକତା ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ମୃତ୍ୟୁ ସହ ସଂଗ୍ରାମ କରୁଥିବା ପାଞ୍ଚ ବର୍ଷର ଝିଅର ଜୀବନ ସେ ବଞ୍ଚାଇ ଦେଇଛନ୍ତି। କବିଷ୍କା ନାମକ ଏହି ଝିଅଟି ଜନ୍ମରୁ ଡେକ୍ସଟ୍ରୋକାର୍ଡିଆ ରୋଗରେ ପୀଡିତ ଥିଲେ। ତାଙ୍କ ପିତା କାର୍ତ୍ତିକ ସହରରେ ଜଣେ ଇଲେକଟ୍ରି ଦୋକାନରେ ସେଲ୍ସମ୍ୟାନ୍‌ ଭାବେ କାର୍ଯ୍ୟ କରନ୍ତି। ତାଙ୍କ ପରିବାର ଗୁଡୁଭନଚେରୀରେ ରୁହନ୍ତି। ଦୁଇବର୍ଷ ପୂର୍ବେ ନନ୍ଦାବକ୍କମ୍‌ ପୋଲିସ୍‌ ଷ୍ଟେଶନର ହେଡ୍‌ କନଷ୍ଟେବଳ ସେନ୍ଥିଲ୍‌ କୁମାର କାର୍ତ୍ତିକଙ୍କ ପଡୋଶୀ ହୋଇଥିଲେ। ଲକ୍‌ଡାଉନ୍‌ ସମୟରେ କବିଷ୍କାଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥିଲା। ଡାକ୍ତରଙ୍କ ପରାମର୍ଶ କରିବାରୁ ସେ ଓପନ୍‌ ହାର୍ଟ ସର୍ଜରୀ ହେବ। ଏଥିପାଇଁ ୫ ଲକ୍ଷ ଟଙ୍କା ଆବଶ୍ୟକ ବୋଲି କହିଥିଲେ। ଲକ୍‌ଡାଉନ୍‌ ଯୋଗୁ କାର୍ତ୍ତିକଙ୍କ ଆର୍ଥିକ ପରିସ୍ଥିତି ଖରାପ ଥିଲା। ଏଥିପାଇଁ ଝିଅର ଚିକିତ୍ସା ବନ୍ଦ କରିବାର ନିଷ୍ପତ୍ତି ନେଇଥିଲେ। ଏହି ସମୟରେ ସେନ୍ଥିଲ୍‌ ତାଙ୍କୁ ସହାୟତାର ହାତ ବଢାଇ ପ୍ରଥମେ ୩୦ ହଜାର ଟଙ୍କା ଦେଇଥିଲେ। ପରେ ସେ ପୋଲିସ ଇନ୍ସପେକ୍ଟରଙ୍କୁ ଏକଥା ଜଣାଇଥିଲେ। ଫଳରେ ପୋଲିସ କର୍ମଚାରୀ ମିଶି ଟଙ୍କା ଯୋଗାଡ କରି କାର୍ତ୍ତିକଙ୍କୁ ଦେଇଥିଲେ। ଜୁଲାଇ ୧ରେ କବିଷ୍କାଙ୍କ ସର୍ଜରୀ ହୋଇଥିଲା। ଏବେ ସେ ଡିସ୍‌ଚାର୍ଜ ହୋଇ ଘରକୁ ଫେରିଛନ୍ତି।

Share