Categories: ଖେଳ

ଦିଲ୍ଲୀକୁ ହରାଇ ଚେନ୍ନାଇର ସପ୍ତମ ବିଜୟ

ଚେନ୍ନାଇ,୧୦ା୫: ଚେନ୍ନାଇର ଏମ୍‌.ଏ ଚିଦାମ୍ବରମ ଷ୍ଟାଡିୟମରେ ରବିବାର ଖେଳା ଯାଇଥିବା ଆଇପିଏଲ୍‌ର ୫୫ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ୨୭ ରନ୍‌ରେ ବିଜୟୀ ହୋଇଛି । ୧୨ଟି ମ୍ୟାଚରୁ ଚେନ୍ନାଇ ୭ଟିରେ ବିଜୟ ହୋଇ ୧୫ ପଏଣ୍ଟ ସହ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷେ ଏହି ବିଜୟ ସହ ଚେନ୍ନାଇ ପ୍ଲେ ଅଫ୍‌ର ନିକଟତର ହୋଇଛି।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ୨୦ ଓଭରରେ ୮ ଉଇକେଟ ହରାଇ ୧୬୭ ରନ୍‌ କରିଥିଲା। ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୮ ଉଇକେଟ ହରାଇ ୧୪୦ ରନ୍‌ କରି ପରାଜିତ ହୋଇଛି। ୧୬୮ ରନ୍‌ ଲକ୍ଷ୍ୟର ପିଛା କରୁଥିବା ଦିଲ୍ଲୀ ୨୫ ରନ୍‌ରେ ୩ ଉଇକେଟ ହରାଇଥିଲା। ରିଲି ରୋଷୋ (୩୫ ରନ୍‌) ଓ ଇମ୍ପାକ୍ଟ ଖେଳାଳି ମନୀଷ ପାଣ୍ଡେ(୨୭) ଚତୁର୍ଥ ଉଇକେଟରେ ୫୯ ରନ୍‌ ଯୋଡିଥିଲେ। ତେବେ ଉଭୟ ଖେଳାଳିଙ୍କ ଷ୍ଟ୍ରାଇକ୍‌ ରେଟ୍‌ ୧୦୦ରୁ କମ୍‌ ରହିଥିଲା। ଉଭୟ ଖେଳାଳି ମାତ୍ର ୫ ରନ୍‌ ବ୍ୟବଧାନରେ ଆଉଟ ହେବା ପରେ ଦିଲ୍ଲୀର ପରାଜୟ ନିଶ୍ଚିତ ହୋଇଯାଇଥିଲା। ଶେଷ ଆଡକୁ ଅକ୍ଷର ପଟେଲ ଦ୍ରୁତ ୨୧ ଓ ଲଳିତ ଯାଦବ ୧୨ ରନ୍‌ କରିଥିଲେ ହେଁ ବିଜୟ ପାଇଁ ଏହା ଯଥେଷ୍ଟ ହୋଇ ନ ଥିଲା।

Share