Categories: ଖେଳ

ବିଜୟରୁ ଆଇପିଏଲ୍‌ ଅଭିଯାନ ଆରମ୍ଭ କଲା ଚେନ୍ନାଇ

ଚେନ୍ନାଇ, ୨୩।୩: ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ୍‌ ଷ୍ଟାଡିୟମରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୭ଶ ସଂସ୍କରଣ ଆରମ୍ଭ ହୋଇଛି। ଉଦ୍‌ଘାଟନୀ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ୬ ଉଇକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ପରାସ୍ତ କରିଛି।

ଆରସିବି ୨୦ ଓଭରରେ ୬ ଉଇକେଟ ହରାଇ ୧୭୩ ରନ୍‌ କରିଥିଲା। ଚେନ୍ନାଇ ୧୮.୪ ଓଭରରେ ୪ ଉଇକେଟ ହରାଇ ୧୭୬ ରନ ସଂଗ୍ରହ କରି ନେଇଥିଲା। ଦଳ ପକ୍ଷରୁ କୌଣସି ଖେଳାଳି ଅର୍ଦ୍ଧଶତକ ହାସଲ କରି ନ ଥିଲେ ମଧ୍ୟ ରାଚିନ ରବୀନ୍ଦ୍ର ୩୭, ଶିବମ ଦୁବେ ୩୪*, ଅଜିଙ୍କ୍ୟ ରାହାନେ ୨୭, ରବୀନ୍ଦ୍ର ଜାଡେଜା ୨୫* ଓ ଡାରିଲ ମିଚେଲଙ୍କ ୨୨ ରନର ଅବଦାନ ବଳରେ ୮ଟି ବଲ୍‌ ବାକିଥାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ୧୧୦ ରନରେ ଚେନ୍ନାଇ ୪ର୍ଥ ଉଇକେଟ ହରାଇଥିଲା। ଦୁବେ ଓ ଜାଡେଜା ଅସମାପ୍ତ ୫ମ ଉଇକେଟରେ ୩୭ ବଲ୍‌ରୁ ୬୬ ରନ ଯୋଗକରି ଦଳକୁ ବିଜୟୀ କରିଥିଲେ। ଆରସିବି ବୋଲରଙ୍କ ମଧ୍ୟରେ କାମେରନ ଗ୍ରୀନ୍‌ ୨ଟି ଏବଂ ୟଶ ଦୟାଲ ଓ କର୍ନ ଶର୍ମା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଆର୍‌ସିବି ଅଧିନାୟକ ଫାଫ୍‌ ଡୁପ୍ଲେସି। ଦଳର ଆରମ୍ଭ ଭଲ ହୋଇଥିଲେ ହେଁ ଓପନିଂ ଯୋଡ଼ି ଭାଙ୍ଗିବା ପରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଓପନିଂ ଯୋଡ଼ିରେ ବିରାଟ କୋହଲିଙ୍କ ସହ ୪୧ ରନ ଯୋଗ କରିବା ପରେ ଡୁପ୍ଲେସି ବ୍ୟକ୍ତିଗତ ୩୫ (୨୩ ବଲ, ୮ ଚୌକା) ରନକରି ଆଉଟ ହୋଇଥିଲେ। ଏହାପରେ ରଜତ ପଟିଦାର ଓ ଗ୍ଲେନ ମ୍ୟାକ୍ସଓ୍ବେଲ ଡକ୍‌ (୦)ରେ ଆଉଟ ହେବାରୁ ଆରସିବି ସ୍କୋର ୪୧/୧ରୁ ୪୨/୩ ହୋଇଯାଇଥିଲା। କୋହଲି ୨୦ ବଲରୁ ୨୧ ଓ କାମେରନ ଗ୍ରୀନ୍‌ ୧୮ ରନକରି ପ୍ୟାଭିଲିୟନ ଫେରିବାରୁ ୧୧.୪ ଓଭର ବେଳକୁ ଦଳୀୟ ସ୍କୋର ୭୮/୫ ହୋଇଥିଲା। ଫଳରେ ମୋଟ ସ୍କୋର ୧୫୦ ସ୍ପର୍ଶ କରିବାନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ତେବେ ଦୀନେଶ କାର୍ତ୍ତିକ ଓ ଅନୁଜ ରାଓ୍ବତ ୬ଷ୍ଠ ଉଇକେଟରେ ୫୦ ବଲ୍‌ରୁ ୯୫ ରନ ଯୋଗ କରିବାରୁ ଆରସିବି ସ୍କୋର ୧୭୩ରେ ପହଞ୍ଚି ପାରିଥିଲା। ଇନିଂସର ଶେଷ ବଲ୍‌ରେ ରନ୍‌ ଆଉଟ ହୋଇଥିବା ରାଓ୍ବତ ୨୫ ବଲ୍‌ରୁ ସର୍ବାଧିକ ୪୮(୪ ଚୌକା, ୩ ଛକା) ରନ ସ୍କୋର କରିଥିଲେ। କାର୍ତ୍ତିକ ୩୮ (୨୬ ବଲ, ୩ ଚୌକା, ୨ ଛକା) ରନରେ ଅପରାଜିତ ରହିଥିଲେ। ଚେନ୍ନାଇ ପକ୍ଷରୁ ମୁସ୍ତାଫିଜୁର ରହମନ ୪ଟି ଓ ଦୀପକ ଚହର ଗୋଟିଏ ଉଇକେଟ ନେଇଥିଲେ।

Share