Categories: ଖେଳ

ବୃହତ ବିଜୟ ସହ ଉପରକୁ ଉଠିଲା ସିଏସ୍‌କେ

ମୁମ୍ବାଇ,୮।୫: ଡେଭନ କନଓ୍ବେ ଏବଂ ଋତୁରାଜ ଗାଏକ୍ୱାଡଙ୍କ ଶତକୀୟ ଓପନିଂ ଭାଗୀଦାରି ଓ ପରେ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ୯୧ ରନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଦେଇଛି। ସ୍ଥାନୀୟ ଡି ଓ୍ବାଇ ପାଟିଲ ସ୍ପୋଟର୍‌ସ ଏକାଡେମୀରେ ରବିବାର ରାତିରେ ଖେଳାଯାଇଥିବା ମ୍ୟାଚ୍‌ରେ ସିଏସ୍‌କେ ୨୦ ଓଭରରେ ୬ ଉଇକେଟ ହରାଇ ୨୦୮ ରନ୍‌ କରିଛି। ଜବାବରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଦିଲ୍ଲୀ ୧୧୭ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଏହି ବିଜୟ ଯୋଗୁ ଚେନ୍ନାଇ ୮ ପଏଣ୍ଟ ସହ ପ୍ରଥମ ଥର ପାଇଁ ୮ମ ସ୍ଥାନକୁ ଉଠିଛି। ଅନ୍ୟପକ୍ଷରେ ପରାଜୟ ସତ୍ତ୍ୱେ ଦିଲ୍ଲୀ ଦଳର ପ୍ଲେଅଫ୍‌ ଆଶା ଉଜ୍ଜୀବିତ ରହିଛି।

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ ଦିଲ୍ଲୀ ଅଧିନାୟକ ରିଷଭ ପନ୍ତ। କିନ୍ତୁ ତାଙ୍କ ନିଷ୍ପତ୍ତିକୁ ଭୁଲ ସାବ୍ୟସ୍ତ କରିଥିଲେ ସିଏସ୍‌କେର ଦୁଇ ଓପନର। ଦିଲ୍ଲୀର ସବୁ ବୋଲରଙ୍କୁ ଧୂଲେଇ କରି ଗାଏକ୍ୱାଡ ଓ କନଓ୍ବେ ୧୧ ଓଭରରେ ୧୧୦ ରନ୍‌ ଯୋଡ଼ିଥିଲେ। ୩୩ ବଲରେ ୪ ଚୌକା ଓ ୧ ଛକା ସହାୟତାରେ ୪୧ ରନ୍‌ କରିଥିବା ଗାଏକ୍ୱାଡ ଦିଲ୍ଲୀ ପେସର ଏନରିଚ ନର୍ଜେଙ୍କ ବାଉନ୍ସରକୁ ଖେଳିବାକୁ ଯାଇ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ତାଙ୍କ ଉଇକେଟ ପଡ଼ିବା ପରେ କନଓ୍ବେଙ୍କ ସହ ମିଶି ଶିବମ ଦୁବେ (୩୨ ରନ୍‌, ୨ ଲେଖାଏ ଚୌକା ଓ ଛକା) ଦଳୀୟ ରନ୍‌ ହାରକୁ ଖସିବାକୁ ଦେଇ ନ ଥିଲେ। ଦୁହେଁ ଦ୍ୱିତୀୟ ଉଇକେଟ ଲାଗି ୫୯ ରନ୍‌ ଯୋଡ଼ିଥିଲେ। ଦୁର୍ଭାଗ୍ୟବଶତଃ ଶତକ ନିକଟତର ହୋଇଥିବା କନଓ୍ବେ ଏକ ଇନୋଭେଟିଭ ଶଟ୍‌ ଖେଳିବାକୁ ଯାଇ ଉଇକେଟକିପର ପନ୍ତଙ୍କ ହାତରେ ଧରା ପଡ଼ିଥିଲେ। ସେ ୪୯ ବଲରେ ୭ ଚୌକା ଓ ୫ ଛକା ସହାୟତାରେ ୮୭ ରନ୍‌ କରିଥିଲେ। ତା’ ପରେ ଚେନ୍ନାଇ ପ୍ରତ୍ୟେକ ଓଭରରେ ଉଇକେଟ ହରାଇଥିଲା। କିନ୍ତୁ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଶେଷ ଆଡ଼କୁ ୮ ବଲରେ ୨ ଛକା ଓ ୧ ଚୌକା ବଳରେ ୨୧ ରନ୍‌ କରିଥିଲେ। ଯାହା ଫଳରେ ଚେନ୍ନାଇ ୨୦ ଓଭରରେ ୬ ଉଇକେଟ ହରାଇ ୨୦୮ ରନ୍‌ କରିଥିଲା। ଚଳିତ ସିଜନରେ ୪ର୍ଥ ଥର ପାଇଁ ଚେନ୍ନାଇ ୨୦୦ରୁ ଊର୍ଦ୍ଧ୍ୱ ସ୍କୋର କରିଛି। ଦିଲ୍ଲୀ ପକ୍ଷରୁ ନର୍ଜେ ୩ ଉଇକେଟ ନେଇଥିବା ବେଳେ ଖଲିଲ ଅହମ୍ମଦ ୨ଟି ଓ ମିଚେଲ ମାର୍ଶ ଗୋଟିଏ ଉଇକେଟ ହାତେଇଥିଲେ। ଜବାବରେ ଦିଲ୍ଲୀ ପାଓ୍ବରପ୍ଲେ ମଧ୍ୟରେ ଦୁଇ ଓପନର ଶ୍ରୀକର ଭରତ (୮) ଓ ଡେଭିଡ୍‌ ଓ୍ବାର୍ନର (୧୯)ଙ୍କ ଉଇକେଟ ହରାଇଥିଲା। ମିଚେଲ ମାର୍ଶ ଓ ଅଧିନାୟକ ପନ୍ତ ୩ୟ ଉଇକେଟ ପାଇଁ ୩୬ ରନ୍‌ ଯୋଡ଼ିଥିଲେ। ତା’ ପରେ ମୋଇନ ଅଲି ଦୁଇ ଓଭର ମଧ୍ୟରେ ୩ ଉଇକେଟ ନେଇ ଦିଲ୍ଲୀର ଅଣ୍ଟା ଭାଙ୍ଗି ଦେଇଥିଲେ। ସେହିଭଳି ୧୧ତମ ଓଭରରେ ମୁକେଶ ଚୌଧାରୀ ୨ଟି ଉଇକେଟ ନେଇ ଦିଲ୍ଲୀକୁ ନିଶ୍ଚିତ ପରାଜୟ ମୁହଁକୁ ଠେଲି ଦେଇଥିଲେ। ନିମ୍ନକ୍ରମରେ ଶାର୍ଦ୍ଦୂଳ ଠାକୁର ୨୪ ରନ୍‌ କରିବାରୁ ଦଳ ୧୧୭ ରନ୍‌ରେ ପହଞ୍ଚିପାରିଥିଲା। ବିଜୟୀ ଦଳ ପାଇଁ ମୋଇନ ୩ ଉଇକେଟ ନେଇଥିବା ବେଳେ ମୁକେଶ ଚୌଧାରୀ, ଡ୍ବେନ ବ୍ରାଭୋ ଓ ସିମରଜିତ ସିଂ ୨ ଲେଖାଏ ସଫଳତା ହାତେଇଥିଲେ।

Share