Categories: ଖେଳ

ବିସିସିଆଇର ନୂତନ କମିଟି ଘୋଷଣା: ପୁଣି ଥରେ ଚେତନ ଶର୍ମା ହେଲେ ଟିମ୍‌ ଇଣ୍ଡିଆ ମୁଖ୍ୟ ଚୟନକର୍ତ୍ତା

ନୂଆଦିଲ୍ଲୀ,୭।୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ଶନିବାର ଟିମ୍‌ ଇଣ୍ଡିଆର ନୂତନ ଚୟନ କମିଟି ଘୋଷଣା କରାଯାଇଛି। ପୁଣିଥରେ ଭାରତର ପୂର୍ବତନ ପେସ ବୋଲର ଚେତନ ଶର୍ମା କମିଟିର ଅଧ୍ୟକ୍ଷ ହୋଇଛନ୍ତି। ୨୦୨୨ ଟି-୨୦ ବିଶ୍ୱକପରେ ଭାରତର ବିପର୍ଯ୍ୟୟ ପରେ ବିସିସିଆଇ ଚେତନ ଶର୍ମାଙ୍କ ନେତୃତ୍ୱାଧୀନ ଚୟନ କମିଟକୁ ଭାଙ୍ଗି ଦେଇଥିଲା। ଉକ୍ତ କମିଟିରେ ମଧ୍ୟ ଚେତନ ଅଧ୍ୟକ୍ଷ ଥିଲେ।

ନୂଆ କମିଟିରେ କିଏ ଅଛନ୍ତି?
-ଚେତନ ଶର୍ମା(ଅଧ୍ୟକ୍ଷ)
-ଶିବ ସୁନ୍ଦର ଦାସ
-ସୁବ୍ରତ ବାନାର୍ଜୀ
-ସାଲିଲ ଅଙ୍କୋଲା
-ଶ୍ରୀଧରନ୍‌ ଶରଥ

ଏବେ ଭାରତୀୟ ଟିମ୍‌ ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ସିରିଜ ଖେଳୁଛି। ଏହାପରେ ଦିନିକିଆ ସିରିଜ ଖେଳାଯିବ। ନୂଆ ଚୟନ କମିଟି ସାମ୍ନାରେ ନ୍ୟୁଜିଲାଣ୍ଡ ସିରିଜ ଲାଗି ଟିମ୍‌ ଚୟନର ଚ୍ୟାଲେଞ୍ଜ ରହିବ। ଏହାଛଡ଼ା ଟି-୨୦ ଫର୍ମାଟରେ ଭିନ୍ନ ଅଧିନାୟକ ରହିବ କି ନାହିଁ ସେ ନେଇ କମିଟି ନିଷ୍ପତ୍ତି ନେବ।

ପ୍ରକାଶ ଯେ, ପୂର୍ବ କମିଟିରେ ଚେତନଙ୍କ ବ୍ୟତିତ ଓଡ଼ିଶାରୁ ଦେବାଶିଷ ମହାନ୍ତି ଥିଲେ। ସେହିଭଳି ସେଣ୍ଟ୍ରାଲ ଜୋନରୁ ହରବିନ୍ଦର ସିଂହ, ଦକ୍ଷିଣ ଜୋନରୁ ସୁନୀଲ ଯୋଶୀ ରହିଥିଲେ। କିନ୍ତୁ ସମସ୍ତଙ୍କୁ ବିସିସିଆଇ ବହିଷ୍କାର କରି ନୂଆ ଆବେଦନ ପାଇଁ ଆଶାୟୀଙ୍କୁ କହିଥିଲା।

Share