Categories: ଜାତୀୟ

କୋଭିଡ୍‌ ନିୟମ ଭାଙ୍ଗିବାରୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୧୬।୧: ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ନୋଏଡାରେ ପ୍ରଚାର ବେଳେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଓ ଅନ୍ୟମାନଙ୍କ ବିରୋଧରେ କୋଭିଡ୍‌ ସେଫ୍ଟି ପ୍ରୋଟୋକଲ୍ସ ଭଙ୍ଗ କରିଥିବା ନେଇ ଏକ ମାମଲା ରୁଜୁ ହୋଇଛି। ଜିଲା ନିର୍ବାଚନ ଅଧିକାରୀ ନୋଏଡାର ଆସିଷ୍ଟାଣ୍ଟ ଡିସିପିଙ୍କୁ ଅଭିଯୋଗ କରିବା ପରେ ରୁଜୁ ହୋଇଛି ଏହି ମାମଲା।

ଉଲ୍ଲେଖଯୋଗ୍ୟ, ନିର୍ବାଚନ ତାରିଖ ଘୋଷଣା ବେଳେ ମହାମାରୀକୁ ବ୍ୟାପିବାରୁ ରୋକିବା ପାଇଁ ଘରରୁ ଘର ପ୍ରଚାର ଦଳରେ ୫ରୁ ଅଧିକ ଲୋକଙ୍କୁ ନ ନେବାକୁ ନିର୍ବାଚନ ଆୟୋଗ (ଇସି) ନିର୍ଦ୍ଦେଶ ଦେଇଥିଲେ। ନୋଏଡ଼ାର ସେକ୍ଟର ୧୧୩ରେ ଦାୟର ହୋଇଥିବା ମାମଲାରେ ୧୪୪ ଦଫା ଓ ମହାମାରୀ ଆଇନରେ ମାମଲା ରୁଜୁ କରାଯାଇଛି।

ଭାଇରାଲ ଭିଡିଓରେ ପ୍ରଚାର ବେଳେ କଂଗ୍ରେସର ବରିଷ୍ଠ ନେତା ଧଳା ରଙ୍ଗର ଏକ ମାସ୍କ ପିନ୍ଧିଥିବା ବେଳେ ତାଙ୍କ ସହ ଅଧିକ ଲୋକ ରହିଥିବା ଦେଖିବାକୁ ମିଳୁଛି। ତେବେ ଭିଡିଓରେ ଦେଖାଯାଉଥିବା ଲୋକଙ୍କ ମଧ୍ୟରୁ କେଉଁମାନେ କଂଗ୍ରେସ ପ୍ରଚାର ଦଳର ସଦସ୍ୟ ଥିଲେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Share