Categories: ଜାତୀୟ

ବ୍ରିଟେନ୍‌ରୁ ଫେରିବ ଛତ୍ରପତି ଶିବାଜୀଙ୍କ ସ୍ବତନ୍ତ୍ର ଅସ୍ତ୍ର ‘ବାଘ ନଖ’

ମୁମ୍ବାଇ,୯।୯: ଛତ୍ରପତି ଶିବାଜୀ ମହାରାଜଙ୍କ ସବୁଠାରୁ ସ୍ବତନ୍ତ୍ର ଅସ୍ତ୍ର ‘ବାଘ ନଖ’କୁ ଦେଶକୁ ଫେରାଇ ଆଣିବାକୁ ପ୍ରସ୍ତୁତି ଚାଲିଛି। ୬.୭ ଫୁଟ୍‌ର ଶତ୍ରୁ ଅଫଜଲ ଖାନ୍‌କୁ ହତ୍ୟା କରିବା ପାଇଁ ଶିବାଜୀ ବ୍ୟବହାର କରିଥିବା ଏହି ଅସ୍ତ୍ର ଗତ କିଛି ଦଶନ୍ଧି ଧରି ଲଣ୍ଡନର ଭିକ୍ଟୋରିଆ ଆଣ୍ଡ ଆଲବର୍ଟ ସଂଗ୍ରହାଳୟରେ ରଖାଯାଇଛି। ହେଲେ ଆଗାମୀ ଦିନରେ ଏହା ଭାରତ ସଂଗ୍ରହାଳରେ ସ୍ଥାନ ପାଇବ। ଏନେଇ ବ୍ରିଟେନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଶେଷ ହୋଇଛି। ସେମାନେ ଏହାକୁ ଫେରାଇବାକୁ ରାଜି ହୋଇଛନ୍ତି।

ମହାରାଷ୍ଟ୍ର ସାଂସ୍କୃତିକ ବ୍ୟାପାର ମନ୍ତ୍ରୀ ସୁଧୀର ମୁଙ୍ଗନ୍ତିୱାରଙ୍କ ଉଦ୍ୟମରେ ଶିବାଜୀଙ୍କ ସମୟର ଏହି ବିଶେଷ ଅସ୍ତ୍ର ଫେରି ଆସିବ। ଏହାକୁ ଫେରାଇ ଆଣିବା ପାଇଁ ସାଂସ୍କୃତିକ ବ୍ୟାପାର ମନ୍ତ୍ରୀ, ବିଭାଗର ମୁଖ୍ୟ ସଚିବ, ନିର୍ଦ୍ଦେଶକ, ପ୍ରତ୍ନତତ୍ତ୍ୱ ଏବଂ ସଂଗ୍ରହାଳୟ ନିର୍ଦ୍ଦେଶାଳୟର ଏକ ପ୍ରତିନିଧୀ ଲଣ୍ଡନର ଭିକ୍ଟୋରିଆ ଏବଂ ଆଲବର୍ଟ ସଂଗ୍ରହାଳୟ ଏବଂ ଅନ୍ୟାନ୍ୟ ସଂଗ୍ରହାଳୟ ପରିଦର୍ଶନ କରିଥିଲେ। ସେଠାରେ ଏକ ଚୁକ୍ତିନାମା ହୋଇଥିଲା।

୧୬୫୯ ମସିହାରେ ବିଜେପୁର ସୁଲତାନର ଜେନେରାଲ ଅଫଜଲ ଖାନଙ୍କୁ ହତ୍ୟା କରିବା ପାଇଁ ଛତ୍ରପତି ଶିବାଜୀ ମହାରାଜ ବାଘ ନଖ ପରି ଏକ ଅସ୍ତ୍ର ବ୍ୟବହାର କରିଥିଲେ, ଯାହାକୁ ’ବାଘ ନଖ’ ବୋଲି କୁହାଯାଏ। ଶିବାଜୀଙ୍କ ଏହି ଅସ୍ତ୍ର ଇତିହାସର ଏକ ଅମୂଲ୍ୟ ଭଣ୍ଡାର ଏବଂ ମହାରାଷ୍ଟ୍ରବାସୀଙ୍କ ଭାବାବେଗ ସହ ଜଡ଼ିତ। ଏହାକୁ ଅତି ଯତ୍ନର ସହ ଫେରାଇ ଅଣାଯିବ ବୋଲି ସାଂସ୍କୃତିକ ମନ୍ତ୍ରୀ ମୁଙ୍ଗନ୍ତିୱାର କହିଛନ୍ତି। ସେହିଭଳି ’ବାଘ ନଖ’ ବ୍ୟତୀତ ଶିବାଜୀଙ୍କ ଅନ୍ୟ ଅସ୍ତ୍ରଶସ୍ତ୍ର ଫେରାଇ ଆଣିବାକୁ ମଧ୍ୟ ଯୋଜନା କରାଯାଉଛି ବୋଲି ମଧ୍ୟ ସେ ଜଣାଇଛନ୍ତି।

Share