ଛତ୍ରପୁର,୨୯ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁରରେ କରୋନା ପଜିଟିଭ୍ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିକି ପଜିଟିଭ୍ମାନଙ୍କ ସଂସ୍ପର୍ଶରେ ବହୁ ଲୋକ ଆସିଥିବା ଜଣାପଡ଼ିଛି। ଏନେଇ ପ୍ରଶାସନର ଚିନ୍ତାବଢ଼ିଛି। ଏହାକୁ ପ୍ରତିରୋଧ କରିବାକୁ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ଏନ୍ଏସିରେ ମଙ୍ଗଳବାରଠାରୁ ୫ ତାରିଖ ପର୍ଯ୍ୟନ୍ତ ୬ ଦିନ ଶଟ୍ଡାଉନ୍ ଘୋଷଣା କରାଯାଇଛି। ଉକ୍ତ ଶଟ୍ଡାଉନ୍ ବେଳେ କେଳ ଔଷଧ ଦୋକାନ ବ୍ୟତୀତ ଆଉ ସବୁ ଦୋକାନ ବନ୍ଦ ରହିବ। ସମସ୍ତେ ଘରେ ରହିବେ। ବାହାରକୁ ଆସିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏସମ୍ପର୍କରେ ଏନ୍ଏସି ପକ୍ଷରୁ ଡ଼ାକବାଜି ଯନ୍ତ୍ର ଦ୍ୱାରା ଲୋକଙ୍କୁ ଅବଗତ କରଯାଇଥିଲା। ଏହା ଶୁଣିବା ପରେ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ ଲୋକଙ୍କ ଭିଡ଼ ଯୋଗୁ ଛତ୍ରପୁରରେ ଟ୍ରାଫିକ ଜାମ୍ ରହୁଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ଶନିବାର ଓ ରବିବାର ଶଟ୍ଡାଉନ୍ ପରେ ସୋମବାର ଛତ୍ରପୁରରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲିଥିଲା। ୬ ଦିନ ଶଟ୍ଡାଉନ୍ ଯୋଗୁ ଆଜି ମଧ୍ୟାହ୍ନ ୧୨ଟା ପରିବର୍ତ୍ତେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ ବୋଲି କୁହାଯାଇଛି।