ଛତ୍ରପୁର,୧୮।୯(ସନ୍ତୋଷ ପାଢୀ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘର ଡାକରାରେ ଗଞ୍ଜାମ ଜିଲାର ବିଭିନ୍ନ ବ୍ଳକର ପ୍ରାଥମିକ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ୧୧ ଦିନରେ ପହଞ୍ଚିଛି। ୧୧ ଦିନ ପରେ ସୋମବାର ଛତ୍ରପୁର ବ୍ଲକ ପ୍ରାଥମିକ ସ୍କୁଲ ଶିକ୍ଷକ ସଂଘ ଆନ୍ଦୋଳନରେ ସାମିଲ ହୋଇଛି। ସ୍କୁଲରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବା ପରେ ଶିକ୍ଷୟିତ୍ରୀ, ଶିକ୍ଷକମାନେ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଧାରଣାରେ ବସିଛନ୍ତି।
ମିଳିଥିବା ସୂଚନା ମୁତାବକ, ଛତ୍ରପୁର ବ୍ଲକର କେତେକ ସ୍କୁଲରେ ଏବେ ବି’ ପାଠପଢା ଚାଲିଥିବା ଦେଖିବାକୁ ମିଳିଛି। ଏପରିକି ବହୁ ଶିକ୍ଷୟିତ୍ରୀ, ଶିକ୍ଷକ ଆନ୍ଦୋଳନରେ ସାମିଲ ହୋଇ ନ ଥିବା ଜଣାପଡିଛି। ଆଗାମୀ ସମୟରେ ସେମାନେ ମଧ୍ୟ ଆନ୍ଦୋଳନରେ ସାମିଲ ହେବେ ବୋଲି ସଂଘ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ୩ ଦଫା ଦାବି ନେଇ ଗତ ୮ ତାରିଖରୁ ଶିକ୍ଷକ ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଥିଲେ ମଧ୍ୟ ଏଥିରେ ଛତ୍ରପୁର ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ସାମିଲ ହୋଇ ନ ଥିଲା।