Categories: ଜାତୀୟ

ଦୁଇ ଥର ଅଲିମ୍ପିକ୍ସ ପଦକଧାରୀଙ୍କୁ ଖୋଜୁଛି ପୋଲିସ

ନୂଆଦିଲ୍ଲୀ, ୧୦।୫- ଦୁଇ ଥର ଅଲିମ୍ପିକ୍ସ ପଦକ ବିଜେତା କିମ୍ବଦନ୍ତୀ ରେସଲର ସୁଶୀଲ କୁମାରଙ୍କ ବିରୋଧରେ ଲୁକଆଉଟ୍‌ ନୋଟିସ ଜାରି କରିଛି ଦିଲ୍ଲୀ ପୋଲିସ। ଦିଲ୍ଲୀର ଉତ୍ତରାଞ୍ଚଳରେ ଥିବା ଛତ୍ରସାଲ ଷ୍ଟାଡିୟମ ମଧ୍ୟରେ ଘଟିଥିବା ହତ୍ୟାକାଣ୍ଡରେ ସୁଶୀଲଙ୍କ ହାତ ଥିବା ପୋଲିସକୁ ଦୃଢ଼ ପ୍ରମାଣ ମିଳିଛି। ରବିବାର ବିଳମ୍ବିତ ରାତିରେ ନୋଟିସ ଜାରି ହୋଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।

ପୀଡ଼ିତଙ୍କ ଷ୍ଟେଟମେଣ୍ଟ ରେକର୍ଡ ସରିଛି। ମଡେଲ ଟାଉନ ଅଞ୍ଚଳରେ ଥିବା ଏକ ଫ୍ଲାଟ୍‌ ଖାଲି କରାଇବା ପାଇଁ ୩ ଯୁବ ରେସଲରଙ୍କୁ ଆକ୍ରମଣ କରାଯାଇଥିଲା।

ଏଫ୍‌ଆଇଆର୍‌ରେ ସୁଶୀଲଙ୍କ ନାମ ରହିଛି। ସେ ଏବେ ଫେରାର ଅଛନ୍ତି। ତାଙ୍କୁ ଧରିବା ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ ଦିଲ୍ଲୀ-ଏନ୍‌ସିଆର୍‌ ସମେତ ପଡ଼ୋଶୀ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି ବୋଲି ଜଣେ ପୋଲିସ ଅଧିକାରୀ ସୋମବାର ସୂଚନା ଦେଇଛନ୍ତି।

ସୁଶୀଲ ଆକ୍ରମଣବେଳେ ଘଟଣାସ୍ଥଳରେ ଉପସ୍ଥିତି ଥିବା ଅଭିଯୋଗରେ ଦର୍ଶାଇଛନ୍ତି ପୀଡ଼ିତ। ଏହି ଆକ୍ରମଣରେ ଜଣେ ୨୩ ବର୍ଷୀୟ ରେସଲରଙ୍କ ମୃତ୍ୟୁ ହୋଇଛି। ମୃତକ ଓ ତାଙ୍କର ଦୁଇ ସାଙ୍ଗଙ୍କୁ ଷ୍ଟାଡିୟମ ଭିତରେ ମଙ୍ଗଳବାର ରାତିରେ ସିନିୟର ରେସଲରମାନେ ନିର୍ଯ୍ୟାତନା ଦେଇଥିଲେ। ଏହି ହତ୍ୟାକାଣ୍ଡରେ ସୁଶୀଲଙ୍କ ସହ ଅଜୟ, ପ୍ରିନ୍ସ ଦଲାଲ, ସୋନୁ, ସାଗର, ଅମିତ୍‌ ଓ ଅନ୍ୟମାନେ ସମ୍ପୃକ୍ତ ଅଛନ୍ତି। ଏମାନଙ୍କ ବିରୋଧରେ ହତ୍ୟା ଓ ସଶସ୍ତ୍ର ଧାରାରେ ମାମଲା ରୁଜୁ କରାଯାଇଛି।

Share