ବିବାହରେ ପହଞ୍ଚିଲେ ହଜାରେ ଅତିଥି: ଆଉ ତା’ପରେ

ରାୟପୁର,୭।୭: ଛତିଶଗଡ଼ ଅମ୍ବିକାପୁର ସହରରେ ଆୟୋଜିତ ଏକ ବିବାହ କାର୍ଯ୍ୟକ୍ରମରେ କରୋନା ନିୟମ ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି। କରୋନା କାଳରେ ବିବାହ କାର୍ଯ୍ୟକ୍ରମରେ କମ୍‌ ସଂଖ୍ୟକ ତଥା ୫୦ ଅତିଥି ସାମିଲ ହେବାକୁ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। ହେଲେ ଉକ୍ତ ବିବାହରେ ହଜାରେରୁ ଅଧିକ ଅତିଥି ସାମିଲ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ଦେଖି ଜିଲାପାଳ ସଞ୍ଜୀବ କୁମାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହା ବର୍ତ୍ତମାନର ସବୁଠାରୁ ବଡ଼ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଜୁଲାଇ ୪ରେ ଅମ୍ବିକାରପୁର ସ୍ଥିତ ଟ୍ରାନ୍ସପୋର୍ଟ ନଗରରେ ଥିବା ଚୌରେସିଆ ମ୍ୟାରେଜ ଗାର୍ଡେନରେ ଏକ ବିବାହ ଅନୁଷ୍ଠିତ ହୋଇଥିଲା। ଏହି ବିବାହରେ ହଜାରେରୁ ଅଧିକ ଅତିଥି ସାମିଲ ହୋଇଥିବା ନେଇ ଜିଲାପାଳଙ୍କୁ ଖବର ମିଳିଥିଲା। ଏହାପରେ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏହି ମାମଲାର ଯାଞ୍ଚ କରାଯାଇଥିଲା। ହେଲେ ଯାଞ୍ଚ ସମୟରେ ଜଣାପଡ଼ିଥିଲା ଯେ, ବିବାହରେ ହଜାରେରୁ ଊର୍ଦ୍ଧ୍ୱ ଲୋକ ସାମିଲ ହେବା ସହ କରୋନା ନିୟମ ପାଳନ କରି ନ ଥିଲେ। ତେବେ କରୋନା ନିୟମ ଉଲ୍ଲଂଘନ ଅଭିଯୋଗରେ ଚୌରେସିଆ ମ୍ୟାରେଜ ଗାର୍ଡେନର ମାଲିକ ବିରେନ୍ଦ୍ର ଚୌରେସିଆଙ୍କ ଉପରେ ଜିଲା ପ୍ରଶାସନ ପକ୍ଷରୁ ୪ଲକ୍ଷ ୭୫ହଜାର ଟଙ୍କା ଜରିମାନା କରାଯିବା ସହ ହଲ୍‌କୁ ସିଲ୍‌ କରିଦିଆଯାଇଛି। ଏଥିସହ ବର ପକ୍ଷଙ୍କ ଉପରେ ୨ଲକ୍ଷ ୩୭ହଜାର ଓ କନ୍ୟା ପକ୍ଷଙ୍କ ଉପରେ ୨ଲକ୍ଷ ୩୭ ହଜାର ଟଙ୍କାର ଜରିମାନା କରାଯାଇଥିବା ଜଣାପଡ଼ିଛି। ତେବେ ଏହି ସବୁ ଜରିମାନା ଟଙ୍କାକୁ ନଗର ନିଗମ କାର୍ଯ୍ୟାଳୟରେ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Share