Categories: ଜାତୀୟ

ପ୍ରେମିକାଙ୍କୁ କାର୍‌ ଚଲାଇବାକୁ ଦେବା ପଡିଲା ମହଙ୍ଗା

ବିଳାଶପୁର,୭।୮: ଛତିଶଗଡର ବିଳାଶପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ଯୁବକ ତାଙ୍କ ପ୍ରେମିକାଙ୍କୁ କାର ଚଳାଇବାକୁ ଦେବା ମହଙ୍ଗା ପଡିଛି। ଯୁବତୀ ଜଣକ କାରଟିକୁ ଏକ ବାଇକ୍‌ ସହ ଧକ୍କା ଦେଇଥିଲେ। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ମାମଲାରେ କାର ମାଲିକଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ପୋଲିସ ୩ ଜଣଙ୍କୁ ଗିରଫ କରିଛି।
ଏହି ଘଟଣା ବିଲାସପୁରର କୋଟା ରୋଡ ନିକଟରେ ଘଟିଥିଲା। ରବିନ୍ଦ୍ର କୁରେ ତାଙ୍କ ପ୍ରେମିକା ପୂଜା ବଞ୍ଜାରେଙ୍କ ସହ ବୁଲିବାକୁ ଯାଇଥିଲେ। ମଝିରେ ମଝିରେ ଯୁବକ ଜଣକ ତାଙ୍କ ପ୍ରେମିକାଙ୍କୁ କାର ଚଳାଇବାକୁ ଦେଉଥିଲେ। ଝିଅଟି କାର ଏତେ ଜୋର ଚଲାଇଥିଲେ ଯେ, ଆଗରୁ ଆସୁଥିବା ବାଇକ ସହ ଗାଡି ଧକ୍କା ହୋଇଥିଲା। ଏହି ଧକ୍କା ଏତେ ଭୟଙ୍କର ଥିଲା, ବାଇକ୍‌ରେ ବସିଥିବା ଲୋକେ ଛିଟିକି ପଡିଥିଲେ। ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାର କିଛି ସମୟ ପରେ ନିକଟସ୍ଥ ଗ୍ରାମବାସୀ ଉଭୟଙ୍କୁ ଧରି ପୋଲିସକୁ ସୂଚନା ଦେଇଥିଲେ।

Share