Categories: ଜାତୀୟ

ନିର୍ବାଚନୀ ଇସ୍ତାହାର ପୂର୍ବରୁ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ବଡ଼ ଘୋଷଣା

ରାୟପୁର,୨୪।୧୦: ନିର୍ବାଚନକୁ ଦୃଷ୍ଟିରେ ରଖି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ କଂଗ୍ରେସ ସରକାର ପୁଣି କ୍ଷମତାକୁ ଫେରିଲେ ସବୁ କୃଷିଋଣ ଛାଡ଼ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ସେ ଦଳର ନିର୍ବାଚନୀ ପ୍ରଚାର ବେଳେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ଏହା କହିଛନ୍ତି। ଏପରି କି ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଏହି ଘୋଷଣା କରିବା ସହ ସମ୍ବୋଧନ କରୁଥିବା ସମୟର ଏକ ଭିଡିଓ ପୋଷ୍ଟ କରିଛନ୍ତି। ଉକ୍ତ ସଭାରେ ସେ ଚାଷୀଙ୍କ ଋଣ ଛାଡ଼, ଜାତିଗତ ଜନଗଣନା ଏବଂ ୧୭.୫ ଲକ୍ଷ ଲୋକଙ୍କୁ ଘର ଯୋଗାଇ ଦେବାକୁ ସେ କହିଛନ୍ତି। ୯୦ ଆସନରେ କଂଗ୍ରେସ ପ୍ରାର୍ଥୀ ଚୟନ କରି ସାରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ନିର୍ବାଚନୀ ଇସ୍ତାହାର ଜାରି କରିନାହିଁ। ଅନ୍ୟପକ୍ଷେ ଆସନ୍ତା ୭ ତାରିଖ ଓ ୧୭ ତାରିଖରେ ଛତିଶଗଡ଼ରେ ଭୋଟ ଗ୍ରହଣ ହେବ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ସବୁ କୃଷି ଋଣ ଛାଡ଼ କରିବାକୁ କହିଛନ୍ତି।

ଅନ୍ୟପକ୍ଷେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଛତିଶଗଡ଼ ଆସିବା ସମୟରେ ଜାତିଗତ ଜନଗଣନା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରାଜ୍ୟର ୧୭.୫ ଲକ୍ଷ ଗରିବ ଲୋକଙ୍କୁ ଘର ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲେ। କଂଗ୍ରେସ କ୍ଷମତାକୁ ଆସିବା କ୍ଷଣି ଏହିସବୁ ପୂରଣ କରାଯିବ ବୋଲି ବାଘେଲ କହିଛନ୍ତି।

Share