ଚୋରି ବିଷୟରେ ଆମେ ଅନେକ ଖବର ଶୁଣିଛୁ। ଚୋରମାନେ ବିଶେକରି ସୁନା, ରୂପା ଅଳଙ୍କାର ଅବା ମୂଲ୍ୟବାନ ଜିନିଷ ଚୋରିକରି ନେଇଥାନ୍ତି। ତେଣୁ ଏପରି ଜିନିଷକୁ ଲୋକମାନେ ଲୁଚାଇ ରଖିଥାନ୍ତି। ହେଲେ ଛତିଶଗଡ଼ର କୋରିଆ ଜିଲାରୁ ଏକ ଭିନ୍ନ ଜିନିଷ ଚୋରି ହୋଇଥିବା ଦେଖିବାକୁ ମିଳିଛି। ଏଠାରେ ଜଣେ ଚୋର ସୁନା, ରୂପା ତଥା ମୂଲ୍ୟବାନ ଜିନିଷ ନେବା ବଦଳରେ ଗୋବର ଚୋରି କରି ନେଇଛନ୍ତି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଚୋର ୨ ଚାଷୀଙ୍କ ଘରୁ ୧୦୦ କେଜି ଗୋବର ଚୋରି କରିଛନ୍ତି। ଏ ନେଇ ସେ ଥାନାରେ ଏତଲା ଦେଇଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ଅନୁସନ୍ଧାନ ଚଳାଇଥିବା ଜଣାପଡ଼ିଛି।
ପ୍ରକୃତ କଥା ହେଲା, ଛତିଶଗଡ଼ ସରକାର ଗୋଧନ ନ୍ୟାୟ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅନୁଯାୟୀ, ସରକାର ଚାଷୀଙ୍କଠାରୁ ଗୋବର କିଣି ଟଙ୍କା ଦେଉଛନ୍ତି। କେଜିକୁ ୨ ଟଙ୍କା ଦେବେ ବୋଲି ସରକାର ଘୋଷଣା କରିଛନ୍ତି। ଏହା ଘୋଷଣା ହେବା ପରଠାରୁ ଛତିଶଗଡ଼ରେ ଗୋବର ଚୋରି ବଢ଼ିବାରେ ଲାଗିଛି। ତେଣୁ ଲୋକେ ଗୋବରକୁ ନିଜ ଘରେ ସୁରକ୍ଷିତ ରଖୁଛନ୍ତି।