ଏହି ରାଜ୍ୟରେ ଲାଗୁ ହେଲା ଲକ୍‌ଡାଉନ

ରାୟପୁର,୭।୪: ଛତିଶଗଡ଼ରେ କରୋନା ମାମଲା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ସନ୍ଧ୍ୟା ୫ଟାରୁ ସୋମବାର ରାତି ପର୍ଯ୍ୟନ୍ତ ରାଜ୍ୟରେ ଲକ୍‌ଡାଉନ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ଏପ୍ରିଲ ୧୫ଯାଏ ଛତିଶଗଡ଼କୁ ଯାତାୟତ କରୁଥିବା ସମସ୍ତ ବସ୍‌ ପରିବହନ ବ୍ୟବସ୍ଥାକୁ ସ୍ଥଗିତ ରଖାଯାଇଛି। ଏହାଛଡା ରାଜ୍ୟରେ ମାସ୍କ ପରିଧାନକୁ କଡ଼ାକଡ଼ି କରାଯିବା ସହ ଲୋକଙ୍କୁ ସଚେତନତା ମଧ୍ୟ କରାଯିବ। ଆଉ ଯେଉଁମାନେ ଏହି ନିୟମର ଉଲ୍ଲଂଘନ କରିବେ ସେମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭୂପେଶ ବଘେଲ କହିଛନ୍ତି। ସୂଚନା ମୁତାବକ ଚଳିତ ବର୍ଷ ଛତିଶଗଡ଼ରେ ଅତ୍ୟଧିକ କରୋନା ମାମଲା ସାମ୍ନାକୁ ଆସିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ରେକର୍ଡ ସଂଖ୍ୟକ ୯,୯୨୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୫୩ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି। ତେବେ ରାୟପୁରରୁ ସର୍ବାଧିକ ସଂକ୍ରମିତ ସଂଖ୍ୟା ୧୫୦୦ ରହିଥିବା ଜଣାପଡ଼ିଛି।

Share