Categories: ଜାତୀୟ

ମହାନଦୀରେ ବ୍ୟାରେଜ କରି ୧୯୪୭ ବ୍ୟବସ୍ଥାର ଉଲ୍ଲଂଘନ କରିଛି ଛତିଶଗଡ଼

ନୂଆଦିଲ୍ଲୀ, ୪ା୫ : ଛତିଶଗଡ଼ ସରକାର ମହାନଦୀ ଉପର ମୁଣ୍ଡରେ ବ୍ୟାରେଜ ନିର୍ମାଣ କରି ୧୧ ନିୟୁତ ଏକର ଫୁଟ୍‌ (ଏମ୍‌ଏଏଫ୍‌) ଜଳ ଧରି ରଖିଛି, ଯାହାକି ଉକ୍ତ ରାଜ୍ୟ ପାଇବାକୁ ଥିବା ଭାଗଠାରୁ ଅଧିକ। ଫଳରେ ତଳ ମୁଣ୍ଡରେ ଥିବା ରାଜ୍ୟ ଆବଶ୍ୟକ ଜଳ ପାଇବାରୁ ବଞ୍ଚତ୍ତ ହୋଇଛି। ଏହା ୧୯୪୭ ବ୍ୟବସ୍ଥାର ଉଲ୍ଲଂଘନ ବୋଲି ଓଡ଼ିଶା ସରକାର ମହାନଦୀ ଟ୍ରିବ୍ୟୁନାଲ ନିକଟରେ ଅଭିଯୋଗ କରିଛନ୍ତି। ଛତିଶଗଡ଼କୁ ୧୬ ଏମ୍‌ଏଏଫ୍‌ ଜଳଧାରଣ କ୍ଷମତା ବିଶିଷ୍ଟ ଭବିଷ୍ୟତ ପ୍ରୋଜେକ୍ଟ ନିର୍ମାଣ ଲାଗି ଅନୁମତି ଦିଆଗଲେ ଓଡ଼ିଶା ବର୍ଷାଦିନେ ଗୁରୁତର କ୍ଷତିର ସମ୍ମୁଖୀନ ହେବ ବୋଲି ଇଞ୍ଜିନିୟର, ବୈଷୟିକ ବିଶେଷଜ୍ଞ, ଆଇନଜୀବୀମାନଙ୍କୁ ନେଇ ରାଜ୍ୟର ୨୦ ଜଣିଆ ଟିମ୍‌ ଟ୍ରିିବ୍ୟୁନାଲରେ ଅଭିଯୋଗ ଉପସ୍ଥାପନ କରିଛି। ୧୯୪୭ର ହୀରାକୁଦ ପ୍ରୋଜେକ୍ଟ ଡିପିଆର୍‌ ଅନୁଯାୟୀ ଛତିଶଗଡ଼ର ସମାନୁପାତିକ ଜଳ ଭାଗ ହେଉଛି ୮.୩୩ ଏମ୍‌ଏଏଫ୍‌। ମହାନଦୀ ଜଳ ବିବାଦ ଟ୍ରିବୁନାଲ ବୁଧବାର ଛତିଶଗଡ଼ରେ ଏହାର ଦ୍ୱିତୀୟ ପର୍ଯ୍ୟାୟ ପରିଦର୍ଶନ ଶେଷ କରିଛି। ଉପର ମୁଣ୍ଡରେ ଥିବା ରାଜ୍ୟକୁ ୯ ଦିନିଆ ଗସ୍ତ ଅବସରରେ ଟ୍ରିବ୍ୟୁନାଲର ବିଚାରପତି ମହାନଦୀ ବେସିନ୍‌ରେ ଛତିଶଗଡ଼ ନିର୍ମାଣ କରିଥିବା ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ। ଟ୍ରିବ୍ୟୁନାଲ ସଦସ୍ୟଙ୍କ ସହ ଓଡ଼ିଶା ଓ ଛତିଶଗଡ଼ର ଟିମ୍‌ ରହିଥିଲେ। ବେଆଇନ ଭାବେ ଭିତ୍ତିଭୂମି ସମ୍ପ୍ରସାରଣ କରି ଛତିଶଗଡ଼ ୧୩ରୁ ୧୪ ଏମ୍‌ଏଏଫ୍‌ ଜଳ ବ୍ୟବହାର କରୁଥିବା ଓଡ଼ିଶା ପକ୍ଷରୁ କୁହାଯାଇଛି। ଫଳରେ ଅଣମୌସୁମୀ ଋତୁରେ ମହାନଦୀରେ ଜଳର ଘୋର ଅଭାବ ଦେଖାଦେଉଛି। ସେହିପରି ଆବଶ୍ୟକତା ନ ଥାଇ ରବିଶଙ୍କର ଶୁକ୍ଳା, ମୁରୁମସିଲି ଡ୍ୟାମ୍‌, ମିନିମାତା ଡ୍ୟାମ୍‌ ଆଦରେ ଛତିଶଗଡ଼ ସାମର୍ଥ୍ୟଠାରୁ ୫୦ରୁ ୬୦ ପ୍ରତିଶତ ଅଧିକ ଜଳ ଧରି ରଖୁଛି। ଉପରୋକ୍ତ ଜଳଭଣ୍ଡାରରେ ଅତ୍ୟଧିକ ଜଳ ଗଚ୍ଛିତ କରି ରଖିବା ଯୋଗୁ ହୀରାକୁଦ ଡ୍ୟାମ୍‌ରେ ଜଳ ସଙ୍କଟ ଦେଖାଦେଇଛି। ଏହା ବ୍ୟତୀତ ରାଜୀବ ସାମୋଦା, ବସନ୍ତପୁର, କଳମା ଆଦି ଶିଳ୍ପ ବ୍ୟାରେଜ ଅଣମୌସୁମୀ ଋତୁରେ ଓଡ଼ିଶା ପାଇଁ ଅଧିକ କ୍ଷତି ପହଞ୍ଚାଉଥିବା ଓଡ଼ିଶା ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଛି।

Share