ଛତିଶଗଡ଼ କବ୍‌ଜାରେ ମହୁଲପାହାଡ଼

ଲଖନପୁର,୨୬।୨(ଡି.ଏନ୍‌.ଏ.): ଓଡିଶା-ଆନ୍ଧ୍ରପ୍ରଦେଶ ସୀମାରେ ଥିବା କୋରାପୁଟ ଜିଲା କୋଟିଆ ପଞ୍ଚାୟତକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ଦେଖାଦେଇଛି ସୀମା ବିବାଦ। ଏ ନେଇ ଚଳିତ ବିଧାନସଭାରେ ବିରୋଧୀ ଦଳଗୁଡିକ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଫଳରେ ରାଜ୍ୟ ସୀମାରେ ଥିବା ସୀମାନ୍ତବର୍ତ୍ତୀ ଗ୍ରାମବାସୀଙ୍କ ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ ପାଇଁ ସରକାର ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହିକ୍ରମରେ ଛତିଶଗଡ଼ ସୀମାନ୍ତବର୍ତ୍ତୀ ଝାରସୁଗୁଡ଼ା ଜିଲା ଲଖନପୁର ତହସିଲ ଅନ୍ତର୍ଗତ ୧୯ଖଣ୍ଡ ମୌଜାର ଚାଣ୍ଟିପାଲି, କନକତୋରା ଓ ଭିକମପାଲି ଆର୍‌ଆଇ ସର୍କଲର ସମୁଦାୟ ୨୧ଗ୍ରାମ ସୀମାନ୍ତରେ ରହିଛି। ଏହିସବୁ ଗ୍ରାମରେ ସୀମା ବିବାଦକୁ ନେଇ କି ସମସ୍ୟା ରହିଛି ଏହାର ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ ପାଇଁ ସରକାର ଝାରସୁଗୁଡ଼ା ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଆଧାରରେ ଜିଲାପାଳ ସରୋଜ କୁମାର ସାମଲ ଲଖନପୁର ତହସିଲଦାରଙ୍କୁ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତହସିଲଦାର ବିଶ୍ୱକେଶନ ପାଣ୍ଡେ ଉପରୋକ୍ତ ଆର୍‌ଆଇମାନଙ୍କୁ ଗ୍ରାଉଣ୍ଡ ଜିରୋରେ ତଦନ୍ତ କରିବା ପାଇଁ କହିଥିଲେ। ତଦନ୍ତ ପରେ ଜଣାପଡିଛି କନକତୋରା ଆର୍‌ଆଇ ସର୍କଲ ଅନ୍ତର୍ଗତ ସୀମାନ୍ତବର୍ତ୍ତୀ ଝାରଗାଁ ଗ୍ରାମ ନିକଟରେ ଛତିଶଗଡ ଓଡ଼ିଶା ସୀମାରେ ପ୍ରବେଶ କରି ସୀମା ପିଲର୍‌ ପୋତିଛି। ଏହା ଦ୍ୱାରା ସୀମାରେ ଥିବା ମହୁଲପାହାଡ ସଂରକ୍ଷିତ ଜଙ୍ଗଲ ପ୍ରଭାବିତ ହେଉଛି ବୋଲି ଝାରଗାଁ ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି।
ଏଭଳିସ୍ଥିତିରେ ଜିଲା ପ୍ରଶାସନ ତରଫରୁ ଜିଲାପାଳ ସାମଲଙ୍କ ନିର୍ଦ୍ଦେଶକ୍ରମେ ଗତ ବୁଧବାର ଉପଜିଲାପାଳ ଶିବ ଟପ୍ପୋ, ଲଖନପୁର ତହସିଲଦାର ବିଶ୍ୱକେଶନ ପାଣ୍ଡେ, ବିଡିଓ ସଞ୍ଜୀବ ପଟେଲ, ଆର୍‌ଆଇ ହେମସାଗର ପଟେଲ ପ୍ରମୁଖ ଝାରଗାଁ ଗ୍ରାମରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି। ଏ ନେଇ ଉପଜିଲାପାଳ ଟପ୍ପୋ କହିଛନ୍ତି, ସରକାରଙ୍କ ନିର୍ଦ୍ଦେଶକ୍ରମେ ୨୦୧୭ ମସିହାରେ ତଦନ୍ତ କରାଯାଇ କୌଣସି ସୀମା ବିବାଦ ନାହିଁ ବୋଲି ସ୍ପଷ୍ଟ କରାଯାଇଥିଲା। ଏବେ ଝାରଗାଁ ସୀମାରେ ସେମିତି କିଛି ଗୁରୁତର ସମସ୍ୟା ନାହିଁ। ସୂଚନାଯୋଗ୍ୟ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ ହେବା ପୂର୍ବରୁ ଏହି ଅଞ୍ଚଳ ଅବିିଭକ୍ତ ମଧ୍ୟପ୍ରଦେଶରେ ରହିଥିଲା। ଓଡ଼ିଶା ପ୍ରଦେଶ ଘୋଷଣା ହେବା ପରେ ସେତେବେଳେ ଉଭୟ ପ୍ରଦେଶର ସୀମା ନିର୍ଦ୍ଧାରଣ କରାଯାଇଥିଲା। ଏଥିରେ ଝାରଗାଁ ଗ୍ରାମ ଓଡିଶା ପ୍ରଦେଶରେ ରହିଥିଲା। ଏହି ଗ୍ରାମକୁ ଲାଗିରହିଛି ମହୁଲପାହାଡ। ସେତେବେଳେ ବର୍ମା ବନ୍ଦୋବସ୍ତ ସମୟରେ ଓଡିଶାର ଝାରଗାଁ ସଂରକ୍ଷିତ ଜଙ୍ଗଲ ରୂପେ ରହିଥିଲା। ପରେ ମେଜର୍‌ ବନ୍ଦୋବସ୍ତ ସମୟରେ ଓଡିଶା ସରକାରଙ୍କ ଅଗୋଚରରେ ଛତିଶଗଡ ସରକାର ଏହାକୁ ନିଜ କବ୍‌ଜାକୁ ନେଇଯାଇଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଏ ନେଇ ଅନେକ ସମୟରେ ଉଭୟ ରାଜ୍ୟର ସୀମାନ୍ତବର୍ତ୍ତୀ ବାସିନ୍ଦାଙ୍କ ମଧ୍ୟରେ ସୀମା ବିବାଦ ଦେଖିବାକୁ ମିଳୁଛି। ଅନେକଥର ବିଧାନସଭାରେ ଜନପ୍ରତିନିଧିମାନେ ଏହି ସମସ୍ୟା ଉପସ୍ଥାପନ କରି ସ୍ଥାୟୀ ସମାଧାନ ଦାବି କରିଥିବା ନଜିର ରହିଛି।