ଜୀବନକୁ ବାଜି ଲଗାଇଲେ ଗର୍ଭବତୀ ନର୍ସ

ରାୟପୁର,୨୬।୫: ଦେଶରେ କରୋନା ସଂକ୍ରମଣ ପ୍ରକୋପ ଜାରି ରହିଛି। କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି। ତେବେ ଏହି ସଙ୍କଟ ସମୟରେ ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟକର୍ମୀ ଲୋକଙ୍କ ପାଇଁ ଭଗବାନ ପାଲଟିଛନ୍ତି। ନିଜ ଘର ଓ ପରିବାର ଛାଡ଼ି, ରାତି ଦିନ ଏକ କରି ଏମାନେ ଲୋକଙ୍କ ସେବାରେ ନିଜ ଜୀବନକୁ ବାଜି ଲଗାଇଦେଉଛନ୍ତି। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଛତିଶଗଡ଼ କଓ୍ବରଧା ଜିଲାର ଲିମୋ ଗାଁରେ। ସୂଚନାଯୋଗ୍ୟ, ଲିମୋ ଗାଁରେ ଥିବା ଏକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ନର୍ସ ପ୍ରଭା କାର୍ଯ୍ୟରତ ଥିଲେ। ୯ମାସର ଗର୍ଭବତୀ ଥିବା ସତ୍ତ୍ୱେ ସେ କୋଭିଡ ଓ୍ବାର୍ଡରେ କାର୍ଯ୍ୟ କରୁଥିଲେ। ଏପ୍ରିଲ ୩୦ରେ ପ୍ରସବ ପୀଡ଼ା ହେବାରୁ ତାଙ୍କୁ କଓ୍ବରଧାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ହସ୍ପିଟାଲରେ ଭର୍ତ୍ତି ଥିବା ବେଳେ ତାଙ୍କୁ ଅନେକ ସମୟରେ ଜ୍ୱର ଆସିଥିଲା। ପରେ ସୁସ୍ଥ ହେବାରୁ ତାଙ୍କୁ ଡିସ୍‌ଚାର୍ଜ କରାଯାଇଥିଲା। କିନ୍ତୁ ଘରକୁ ଆସିବା ପରେ ପୁଣି ପ୍ରଭାଙ୍କୁ ଜ୍ୱର ଓ କାଶ ହୋଇଥିଲା। ଏହାପରେ ସେ ଆଣ୍ଟିଜେନ ଟେଷ୍ଟ କରିଥିଲେ। ରିପୋର୍ଟରେ ତାଙ୍କର ପଜିଟିଭ୍‌ ଆସିଥିଲା। ରିପୋର୍ଟ ଆସିବା ପରେ ତାଙ୍କୁ କଓ୍ବରଧା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କର ଅକ୍ସିଜେନ ସ୍ତର କମିଯିବାରୁ ପ୍ରଭାଙ୍କୁ ରାୟପୁରକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ମେ’ ୨୧ରେ ପ୍ରଭାଙ୍କ ଦେହାନ୍ତ ଘଟିଛି। ଏନେଇ ପ୍ରଭାଙ୍କ ସ୍ବାମୀ ଭୋଜରାଜ ସୂଚନା ଦେଇଛନ୍ତି। ଗର୍ଭବତୀ ସମୟରେ ପ୍ରଭାଙ୍କ ସ୍ବାମୀ ତାଙ୍କୁ ଛୁଟି ନେବାକୁ ବାଧ୍ୟ କରିଥିଲେ। କିନ୍ତୁ ପ୍ରଭା ଛୁଟି ନ ନେଇ ନିଜ କର୍ତ୍ତବ୍ୟକୁ ଗୁରୁତ୍ୱ ଦେଇଥିଲେ। ଶେଷରେ କର୍ତ୍ତବ୍ୟପରାୟଣ ହୋଇ ନିଜର ଜୀବନ ହାରିଛନ୍ତି ପ୍ରଭା।

Share