ରାୟଗଡ଼ା ଜିଲାରେ ଛତିଶଗଡ଼ ମନ୍ତ୍ରୀଙ୍କ ମାରାଥନ ପ୍ରଚାର

ବିଷମକଟକ/ମୁନିଗୁଡ଼ା/କୋଲନରା,୧୨ା୨(ଡି.ଏନ୍‌.ଏ.): ପଞ୍ଚାୟତ ନିର୍ବାଚନକୁ ଆଉ ମାତ୍ର ୩ ଦିନ ରହିଲା। ରାଜ୍ୟ ସରକାର ପ୍ରଚାର କଟକଣା କୋହଳ କରିବା ପରେ ଏବେ ପ୍ରାର୍ଥୀଙ୍କ ପକ୍ଷରୁ ପ୍ରଚାର ଜୋର୍‌ଦାର ଚାଲିଛି। ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ପାଇଁ ହେଭିଓ୍ବେଟ୍‌ ନେତା ପ୍ରଚାର ମଙ୍ଗ ସମ୍ଭାଳୁଛନ୍ତି। ଦୁଇଦିନ ତଳେ ଭାଜପା ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ରାୟଗଡ଼ା ଜିଲାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ଫେରିଥିବାବେଳେ ଶୁକ୍ରବାର ଛତିଶଗଡ଼ର ଶିଳ୍ପ ଓ ବାଣିଜି୍ୟକ ଟିକସ(ଅବକାରୀ) କ୍ୟାବିନେଟ ମନ୍ତ୍ରୀ କଓ୍ବାସି ଲଖମା ପ୍ରଚାର ପାଇଁ ଦୁଇ ଦିନିଆ ରାୟଗଡ଼ା ଜିଲା ଗସ୍ତରେ ଆସିଛନ୍ତି। ସେ କଂଗ୍ରେସର ଜିଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର କରିଛନ୍ତି। ବିଷମକଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଷମକଟକ, ମୁନିଗୁଡ଼ା ଏବଂ କୋଲନରା ବ୍ଲକର ବିଭିନ୍ନ ଜୋନ୍‌ରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ସେ ଭୋଟ ଭିକ୍ଷା କରିଛନ୍ତି।
ଅପରାହ୍ନରେ କଓ୍ବାସି ବିଷମକଟକଠାରେ ରୋଡ୍‌ ଶୋ’କରି ‘କ’ ଜୋନ୍‌ ଜିଲା ପରିଷଦ ପ୍ରାର୍ଥୀ ସୁଶ୍ରୀ ଗୀତା କୃଷିକା, ‘ଖ’ ଜୋନ୍‌ର କୃଷ୍ଣ ନାଣକାଙ୍କ ପାଇଁ ପ୍ରଚାର କରିଥିଲେ। ପ୍ରଚାର ସମୟରେ କର୍ମୀଙ୍କ ସହିତ ନୃତ୍ୟ ମଧ୍ୟ କରିଥିଲେ। ମନ୍ତ୍ରୀଙ୍କ ସହ କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା, ଜିଲା କଂଗ୍ରେସ ସଭାପତି ଦୁର୍ଗା ପଣ୍ଡା ଓ ଦଳୀୟ ପ୍ରାର୍ଥୀ ରହିଥିଲେ। ପ୍ରଚାର ପୂର୍ବରୁ ମନ୍ତ୍ରୀ ସ୍ଥାନୀୟ ମାଁ ମାର୍କମା ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ସେହିପରି ମନ୍ତ୍ରୀ ଓ ଏମ୍‌ପି ମୁନିଗୁଡ଼ା ବ୍ଲକ ‘କ’ ଜୋନ୍‌ ଜିଲା ପରିଷଦ ପ୍ରାର୍ଥୀ ଦକ୍ଷ କରକରିଆ ଏବଂ ‘ଖ’ ଜୋନ୍‌ ଜିଲା ପରିଷଦ ପ୍ରାର୍ଥୀ ସୁକୁମାରୀ ନାଗଙ୍କ ପାଇଁ ଭୋଟ ମାଗିଥିଲେ। କୋଲନରା ବ୍ଲକରେ ‘କ’ ଜୋନ୍‌ର କଂଗ୍ରେସ ପ୍ରାର୍ଥୀ ଗୋବର୍ଦ୍ଧନ ରାଓ ଏବଂ ଜେକେପୁର ‘ଗ’ ଜୋନ୍‌ ପ୍ରାର୍ଥୀ କାବ୍ୟ କୁଲେସିକାଙ୍କ ନିମନ୍ତେ ମଧ୍ୟ ପ୍ରଚାର କରିଥିଲେ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମନମୁଖି ଶାସନରେ ଲୋକେ ଅତିଷ୍ଠ। ତେଣୁ କଂଗ୍ରେସ ପୁଣି ଫେରିବ ବୋଲି ଏଠାରେ ମନ୍ତ୍ରୀ ଲଖମା କହିଛନ୍ତି। ସେହିପରି ଜିଲାର ୨୨ ଜୋନ୍‌ରୁ ୧୭ରୁ ଊର୍ଦ୍ଧ୍ୱ ଜିଲା ପରିଷଦ ଆସନରେ କଂଗ୍ରେସ ଜିତିବ ବୋଲି ସପ୍ତଗିରି କହିଛନ୍ତି।

Share