Categories: ଜାତୀୟ

ସାଙ୍ଗକୁ ଭରସା କରି ଗିରଫ ହେଲେ ଯୁବକ

ରାୟପୁର,୨୭।୬: କ୍ରାଇମ କରି ଆଇନ ହାତରୁ ବଞ୍ଚିବା ସମ୍ଭବ ନୁହେଁ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଛତିଶଗଡ଼ର ରାଜଧାନୀ ରାୟପୁରରୁ। ୧୦ ବର୍ଷ ତଳର ହତ୍ୟାକାଣ୍ଡ ଉପରୁ ପର୍ଦ୍ଧା ହଟାଇଛି ଦୁଇ ସାଙ୍ଗଙ୍କ ମଧ୍ୟରେ ହୋଇଥିବା ସାଧାରଣ କଥାବାର୍ତ୍ତା। ଏ ନେଇ ରବିବାର ରାୟପୁର ପୋଲିସ ପକ୍ଷରୁ କୁହାଯାଇଛି।

୨୦୧୧ ଜାନୁୟାରୀରେ ଛତିଶଗଡ଼ର ଫର୍ହାଦା ଗ୍ରାମରୁ ମିଳିଥିଲା ଲେଖରାମ ସେନଙ୍କ ମୃତଦେହ। ୪୦ ବର୍ଷୀୟ ପୀଡ଼ିତ କୋସରାଙ୍ଗି ଗ୍ରାମର ବାସିନ୍ଦା ବୋଲି ତଦନ୍ତରୁ ଜଣାପଡ଼ିଥିଲା। କିନ୍ତୁ ତାଙ୍କୁ କିଏ ଏବଂ କେଉଁ କାରଣରୁ ହତ୍ୟା କରିଛି, ସେତେବେଳେ ତା’ର ଟେର ପାଇ ନ ଥିଲା ତଦନ୍ତକାରୀ ଦଳ।

କିଛି ଦିନ ତଳେ ସନ୍ତୋଷ ଯାଦବ ନାମକ ଜଣେ ଯୁବକ ଫାର୍ହାବାଦ ଗ୍ରାମର ଏକ ଢାବାରେ ଖାଉଥିବାବେଳେ ୨୦୧୧ ଜାନୁୟାରୀରେ ଘଟାଇଥିବା ହତ୍ୟାକାଣ୍ଡ ସମ୍ପର୍କରେ ସାଙ୍ଗଙ୍କୁ ଜଣାଇଥିଲେ। ଲେଖରାମ ସେନ ନାମକ ବ୍ୟକ୍ତିଙ୍କୁ ବେକ ଚିପି ହତ୍ୟା କରିବା ପରେ ସେ ଫୋପାଡ଼ି ଦେଇଥିଲେ ଗ୍ରାମର ଧାନ କ୍ଷେତରେ। ଏଥିରେ ତାଙ୍କୁ ସାହାଯ୍ୟ କରିଥିଲେ ଲୋକେଶ ଯାଦବ।

ଟିପ ଅଫ୍‌ ପାଇବା ପରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ପଚରାଉଚୁରା ବେଳେ ସନ୍ତୋଷ କହିଥିଲେ, ୨୦୧୧ ଜାନୁୟାରୀରେ ଗାଁକୁ ଯାଇଥିଲେ। ସେଠାରେ ଜଣେ ଯୁବତୀଙ୍କ ସହ ତାଙ୍କୁ ପ୍ରେମ ହୋଇଯାଇଥିଲା। ବିଳମ୍ବିତ ରାତିରେ ଧାନ କ୍ଷେତରେ ପ୍ରେମିକାଙ୍କୁ ଦେଖା କରନ୍ତି। ଦିନେ ସେହି କ୍ଷେତ ଦେଇ ଯାଉଥିବା ଲେଖରାମ ସବୁ ଦେଖିଦେଇଥିଲେ। ଗାଁ ଲୋକଙ୍କୁ ଏ ସମ୍ପର୍କରେ ଜଣାଇବାକୁ ଧମକ ଦେଇଥିଲେ ଲେଖରାମ। ତା’ ପରେ ଲୋକେଶଙ୍କ ସହାୟତାରେ ସନ୍ତୋଷ ନିଜ ବେଲ୍ଟରେ ଲେଖରାମଙ୍କ ବେକକୁ ଚିପି ହତ୍ୟା କରିଥିଲେ।

Share