ଓସ୍କାର ଦୌଡ଼ରେ ‘ଚ୍ଛେଲୋ ଶୋ’

ନୂଆଦିଲ୍ଳୀ: ଫିଲ୍ମ ଜଗତର ସବୁଠାରୁ ବଡ଼ ସମାରୋହ କୁହାଯାଉଥିବା ଓସ୍କାର ରେସ୍‌ରେ ସାମିଲ ହୋଇଛି ଗୁଜରାଟୀ ଫିଲ୍ମ ‘ଚ୍ଛେଲୋ ଶୋ’। ଏ ନେଇ ଇଣ୍ଡିଆନ୍‌ ଫିଲ୍ମ ଫେଡେରେଶନ୍‌ ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି। ଏହାର ଇଂଲିଶ ନାମ ‘ଲାଷ୍ଟ ଫିଲ୍ମ ଶୋ’ ରଖାଯାଇଛି। ଆସନ୍ତା ବର୍ଷ ଆୟୋଜନ ହେବାକୁ ଥିବା ୯୫ତମ ଓସ୍କାର ସମାରୋହରେ ଚ୍ଛେଲୋ ଶୋ’କୁ ବେଷ୍ଟ ଇଣ୍ଟରନ୍ୟାଶନାଲ ଫିଚର ଫିଲ୍ମ ଶ୍ରେଣୀରେ ଚୟନ କରାଯାଇଛି। ନଳିନୀ ପାନ୍‌ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଭାବିନ ରାବାରି, ଭାବେଶ ଶରିମାଲି, ରୀଚା ମୀନା, ଦୀପେନ ରାଭାଲ ଏବଂ ପରେଶ ମେହେଟ୍ଟା ଆଦି କଳାକାର ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ରବର୍ଟ ଡେନିରୋଙ୍କ ଟ୍ରିବେକା ଫିଲ୍ମ ଫେଷ୍ଟିଭାଲଠାରୁ ଆରମ୍ଭ କରି ବହୁ ଅନ୍ତର୍ଜାତୀୟ ଫିଲ୍ମ ସମାରୋହରେ ଚ୍ଛେଲୋ ଶୋ’କୁ ପୁରସ୍କୃତ କରାଯାଇଛି।
ଚଳିତ ବର୍ଷର ସୁପରହିଟ୍‌ ପାନ୍‌ ଇଣ୍ଡିଆ ଫିଲ୍ମ ‘ଆର୍‌ ଆର୍‌ ଆର୍‌’ ଓସ୍କାର ଦୌଡ଼ରୁ ବାଦ୍‌ ପଡ଼ିବା ନେଇ ସିନେପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏସ୍‌.ଏସ୍‌. ରାଜାମୌଲିଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ଚଳିତବର୍ଷ ମାର୍ଚ୍ଚ ୨୫ରେ ରିଲିଜ୍‌ ହୋଇଥିଲା। ବ୍ରିଟିଶ୍‌ ଶାସନ କାଳର କାହାଣୀ ଉପରେ ଫିଲ୍ମଟି ଆଧାରିତ। ରାମ ଚରଣ ଓ ଜୁନିୟର୍‌ ଏନ୍‌ଟିଆର୍‌ଙ୍କ ସମେତ ବଲିଉଡ୍‌ ବ୍ୟୁଟି ଆଲିଆ ଭଟ୍ଟ ଏଥିରେ ଅଭିନୟ କରିଥିଲେ।

Share