Categories: ଖେଳ

ଅଧିକ ଦର୍ଶକଙ୍କ ଉପସ୍ଥିତି ଚାହାନ୍ତି ଛେତ୍ରୀ

ଭୁବନେଶ୍ୱର, ୧୪ା୬
(ସରୋଜ ଜେନା)
କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଭାନୁଆଟୁ ବିପକ୍ଷ ମ୍ୟାଚକୁ ୧-୦ରେ ଜିତିବା ପରେ ଫ୍ୟାନଙ୍କୁ ପ୍ରଶଂସା କରିଛନ୍ତି ଭାରତୀୟ ଦଳର ଅଧିନାୟକ ସୁନୀଲ ଛେତ୍ରୀ। ଏଠାରେ ଫ୍ୟାନ ମାନେ ବିପୁଳ ସଂଖ୍ୟାରେ ଯୋଗ ଦେଇଥିଲେ ଯାହା ଅତ୍ୟନ୍ତ ଖୁସିର ବିଷୟ। ତେବେ ପରବର୍ତ୍ତୀ ମ୍ୟାଚ୍‌ରେ ଆହୁରି ଅଧିକ ଦର୍ଶକ ମ୍ୟାଚ ଦେଖିବାକୁ ଆସନ୍ତୁ ବୋଲି ଛେତ୍ରୀ କହିଛନ୍ତି। ୧୫ ତାରିଖରେ ଭାରତ ଏହାର ପରବର୍ତ୍ତୀ ମ୍ୟାଚ୍‌ରେ ଲେବାନନକୁ ଭେଟିବ। ଭାନୁଆଟୁ ବିପକ୍ଷ ମ୍ୟାଚରେ ଛେତ୍ରୀ ୮୦ ମିନିଟରେ ଗୋଲ ସ୍କୋର କରଥିବା ବେଳେ ଭାରତ ମ୍ୟାଚକୁ ୧-୦ରେ ଜିତି ଫାଇନାଲରେ ପହଞ୍ଚିଥିଲା। ଦଳର ସମସ୍ତ ଖେଳାଳି ଦେଶକୁ ଗର୍ବିତ କରିବା ପାଇଁ କଠିନ ପରିଶ୍ରମ କରୁଥିବା ବେଳେ ଦର୍ଶକ ମାନେ ସେମାନଙ୍କୁ ଉତ୍ସାହିତ କରିବା ଆବଶ୍ୟକ ବୋଲି ଛେତ୍ରୀ କହିଛନ୍ତି। ଏହା ସହିତ ଷ୍ଟାଡିୟମକୁ ଆସିଥିବା ଦର୍ଶକ ମଧ୍ୟ ବେଶ୍‌ ଖୁସି ପ୍ରକାଶ କରିଛନ୍ତି। ୨୪ ବର୍ଷୀୟ ସାଇ ଶିବଦତ୍ତ କହିଛନ୍ତି ଫିଫା ୧୭ ବର୍ଷରୁ କମ୍‌ ବିଶ୍ୱକପ ପରେ ସେ ଦ୍ୱିତୀୟ ଥର ପାଇଁ ଷ୍ଟାଡିୟମକୁ ଆସିଥିଲେ। ପୂର୍ବଥର ଅପେକ୍ଷା ଭିତ୍ତଭୂମି ଅଧିକ ଉନ୍ନତ ଥିବା ସେ ପ୍ରକାଶ କରିଥିଲେ। ଛେତ୍ରୀଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ପୁରସ୍କାର ପ୍ରଦାନ କରିଥିବା କ୍ରୀଡା ଓ ଯୁବ ସେବା ବ୍ୟାପାର ବିଭାଗ ଯୁଗ୍ମ ସଚିବ ରଞ୍ଜିତ ପରିଡା କହିଥିଲେ ‘ବିଗତ ବର୍ଷରେ ସଡ଼ିଶା କ୍ରୀଡାରେ ସବୁଠାରୁ ଅଧିକ ନିବେଶ କରିଛି’। ଓଡ଼ିଆ ଦର୍ଶକଙ୍କ ଯେଉଁଭଳି ଖେଳାଳିଙ୍କୁ ସ୍ବାଗତ କରିଥାନ୍ତି ତାହା ଅନ୍ୟତ୍ର ଦେଖିବାକୁ ମିଳିନଥାଏ। ନିକଟରେ ସମାପିତ ବିଶ୍ୱକପରେ ଭାରତୀୟ ଦଳକୁ ଦେଖିବା ପାଇଁ ଦର୍ଶକ ବିପୁଳ ସଂଖ୍ୟାରେ ଆସିଥିଲେ। ଫୁଟବଲ ପାଇଁ ସମାନ ମାହୋଲ ସୃଷ୍ଟି କରିବାକୁ ଆମେ ତତ୍ପର ବୋଲି ସେ କହିଥିଲେ।

Share