କୁକୁଡ଼ା ଫାର୍ମରେ ଚିଆଁ ଛାଡ଼ିବାକୁ ନେଇ ଗାଁରେ ଉତ୍ତେଜନା

ପାଟଣା,୧୫।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡା ପଞ୍ଚାୟତ ଅଙ୍କୁରା ଗ୍ରାମର ଝପାସାହିରେ ଏକ ମେଗା ବ୍ରୟେଲର ଫାର୍ମରେ ବୁଧବାର ସକାଳୁ ଫାର୍ମ ମାଲିକ ନିତ୍ୟାନନ୍ଦ ମାହନ୍ତ ଚିଆଁ ଛାଡିବାକୁ ନେଇ ଗାଁରେ ଉତ୍ତେଜନା ଦେଖା ଦେଇଛି। ଏହାକୁ ବିରୋଧ କରି ୫୦ରୁ ଊଦ୍ଧର୍‌ବ ମହିଳା ଓ ପୁରୁଷ ପାଟଣା ଥାନା ଦ୍ୱାରସ୍ଥ ହୋଇଛନ୍ତି।
ସୂଚନାଯୋଗ୍ୟ, ଗାଁ ନିକଟରେ ଆରମ୍ଭ ହୋଇଥିବା ୧୩ ହଜାର କ୍ଷମତା ସମ୍ପନ୍ନ ମେଗା ବ୍ରୟେଲର ଫାର୍ମଟି ଦୀର୍ଘଦିନରୁ ନିର୍ମାଣ ସରିଥିଲେ ହେଁ ଗ୍ରାମବାସୀଙ୍କ ବିରୋଧ ଫଳରେ ଫାର୍ମଟି କାର୍ଯ୍ୟକ୍ଷମ ହୋଇ ପାରି ନ ଥିଲା। ଏଥିପୂର୍ବରୁ ଗାଁରେ ଚାଲୁଥିବା ୪ଟି ବ୍ରୟେଲର ଫାର୍ମକୁ ଗ୍ରାମବାସୀ ବିରୋଧ କରିବାରୁ ସେଗୁଡିକ ଏବେ ବନ୍ଦ ହୋଇପଡିଛି। ଏହି ମେଗା ଫାର୍ମକୁ ବନ୍ଦ କରିବା ଦାବିରେ ଶତାଧିକ ମହିଳା ପୁରୁଷ ମିଶି ଏଥି ପୂର୍ବରୁ ତହସିଲ, ଥାନା ଓ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଜନବସତିଠାରୁ ମାତ୍ର ୫୦ ମିଟର ଦୂରରେ ବେଆଇନ ଭାବେ ନିର୍ମିତ ଫାର୍ମ ଚାଲିଲେ ପରିବେଶ ପ୍ରଦୂଷିତ ହେବା ସହ ସାହି ଲୋକେ ସ୍ବାଭାବିକ ଜୀବନ ଯାପନ କରିପାରିବାରେ ବାଧା ଉପୁଜିବ।