ନୂଆଦିଲ୍ଲୀ,୨୫ା୩: ବହୁଚର୍ଚ୍ଚିତ ଆଇଏନ୍ଏକ୍ସ ମନିଲଣ୍ଡରିଂ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍ ଓ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍ଙ୍କ ଅଡ଼ୁଆ ବଢ଼ିଛି। ବାପପୁଅଙ୍କ ବିରୋଧରେ ମାମଲା ଆଗକୁ ବଢ଼ାଇବା ପାଇଁ ପର୍ଯ୍ୟାପ୍ତ ପ୍ରମାଣ ରହିଥିବା ଦିଲ୍ଲୀର ଏକ ସ୍ବତନ୍ତ୍ର ଅଦାଲତ କହିଛନ୍ତି।
ସିବିଆଇ ଜଜ୍ ଏନ୍.କେ. ନାଗପାଲ ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚାର୍ଜଶିଟ୍କୁ ଗ୍ରହଣ କରିବା ସହ ସମସ୍ତ ୧୦ ଅଭିଯୁକ୍ତଙ୍କୁ ନୋଟିସ କରି ଏପ୍ରିଲ ୭ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ୧୦ ଅଭିଯୁକ୍ତଙ୍କ ମଧ୍ୟରେ ଚିଦାମ୍ବରମ୍ ବାପପୁଅ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏସ୍. ଭାସ୍କରମନ ଏବଂ ପୂର୍ବତନ ମିଡିଆ ଟାଇକୁନ୍ ପିଟର ମୁଖାର୍ଜୀଙ୍କ ସମେତ ୬ଟି କମ୍ପାନୀ ରହିଛି। ଇଡି ଚାର୍ଜଶିଟ୍ରେ ଆଇଏନ୍ଏକ୍ସ ମିଡିଆ ପ୍ରାଇଭେଟ୍ ଲିଃ, ଆଡ୍ଭେଣ୍ଟେଜ୍ ଷ୍ଟ୍ରାଟେଜିକ୍ କମ୍ପାନିଜ୍, କ୍ରିୟା ଏଫ୍ଏମ୍ସିଜି ଡିଷ୍ଟ୍ରିବ୍ୟୁଟର୍ସ ପ୍ରାଇଭେଟ ଲିଃ, ନର୍ଥ ଷ୍ଟାର ସଫ୍ଟଓ୍ବେର ସୋଲୁଶନ୍ସକୁ ମଧ୍ୟ ଅଭିଯୁକ୍ତ ଦର୍ଶାଯାଇଛି। ପି. ଚିଦାମ୍ବରମ୍ ଅର୍ଥମନ୍ତ୍ରୀ ଥିବାବେଳେ ଆଇଏନ୍ଏକ୍ସ ମିଡିଆକୁ ବିଦେଶୀ ପୁଞ୍ଜି ପ୍ରୋତ୍ସାହନ ବୋର୍ଡ (ଏଫ୍ଆଇପିବି) ମଞ୍ଜୁରୀ ଦେଇଥିବା ଅଭିଯୋଗ ରହିଛି। କାର୍ତ୍ତି ଆଇଏନ୍ଏକ୍ସ ମିଡିଆର ମାଲିକ ପିଟର ଓ ପୂର୍ବତନ ସ୍ତ୍ରୀ ଇନ୍ଦ୍ରାଣୀ ମୁଖାର୍ଜୀଙ୍କଠାରୁ ଲାଞ୍ଚ ନେଇଥିବା ସିବିଆଇ ଏବଂ ଇଡି ଦର୍ଶାଇଛନ୍ତି।